୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଂଚିବାକୁ ସେ କହିଛନ୍ତି । ଏଥିସହ ସାଧାରଣ ନିର୍ବାଚନ ୪୦୦ ଦିନ ପରେ ଅନୁଷ୍ଠିତ ହେବ ବୋଲି ମୋଦି ଜାତୀୟ କାର୍ଯ୍ୟକାରିଣୀରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦେଇଥିବା ପରାମର୍ଶ ଓ ଗୁରୁମନ୍ତ୍ର ସମ୍ପର୍କରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗଣମାଧ୍ୟମକୁ ଜଣାଇଛନ୍ତି । ସେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦି ଏବେ ଠାରୁ ହିଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଆମ ପାଖରେ ୪୦୦ ଦିନ ସମୟ ରହିଛି । ଆମକୁ ଲୋକଙ୍କ ସେବା କରିବା ପାଇଁ ସବୁ କିଛି କରିବାକୁ ପଡ଼ିବ । ଆମକୁ ଇତିହାସ ସୃଷ୍ଟି କରିବାର ଅଛି ।
ପ୍ରଧାନମନ୍ତ୍ରୀ ମୋଦି ୧୮ରୁ ୨୫ ବର୍ଷ ବର୍ଗରେ ଥିବା ଯୁବଗୋଷ୍ଠୀଙ୍କୁ ଅଧିକ ଫୋକସ କରିବାକୁ କହିଛନ୍ତି । ସେ କହିଛନ୍ତି ଏହି ବର୍ଗର ଲୋକମାନେ ଇତିହାସ ସହ ଜଡ଼ିତ ନୁହନ୍ତି । ପୂର୍ବରୁ ଦେଶରେ ଥିବା ଖରାପ ଶାସନକୁ ଆମେ ଭୁଲୁଛେ ଓ ସୁଶାସନ ଦିଗରେ ବଢ଼ୁଛେ । ଆମକୁ ଏକଥା ସମସ୍ତଙ୍କ ପାଖରେ ପହଂଚାଇବାକୁ ପଡ଼ିବ । ୧୮ରୁ ୨୫ ବର୍ଷ ବର୍ଗରେ ଥିବା ଭୋଟରଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଜଣାଇବାକୁ ହେବ ଓ ସେମାନଙ୍କୁ ସୁଶାସନର ଅଂଶବିଶେଷ ହେବାକୁ ସହଯୋଗ କରିବାକୁ ପଡ଼ିବ ବୋଲି ମୋଦି ଦଳୀୟ ନେତା ଓ କର୍ମୀମାନଙ୍କୁ କହିଛନ୍ତି । ଗ୍ରାମୀଣ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା, ବିଶେଷ କରି ସୀମାନ୍ତ ଅଂଚଳ ଓ ସବୁ ବର୍ଗର ଲୋକଙ୍କୁ ଦଳୀୟ ନେତାମାନେ ଭେଟି ସେମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି । ଏଥିସହ ଭୋଟ କଥା ଚିନ୍ତା ନ କରି ବୋହାରସ, ପସମାନଡସ ଓ ଶିଖ୍ ଭଳି ସଂଖ୍ୟାଲଘୁ ଲୋକଙ୍କ ପାଖରେ ପହଂଚିବାକୁ ସେ କହିଛନ୍ତି । ବିଜେପି କେବଳ ଗୋଟିଏ ରାଜନୀତିକ ବିପ୍ଳବ ହୋଇ ନାହିଁ । ଏବେ ଦଳ ସାମଜିକ ବିପ୍ଳବରେ ପରିଣତ ହୋଇଛି । ଏଥିସହ ସାମାଜିକ ଓ ଅର୍ଥନୀତିକ ସ୍ଥିତିକୁ ମଧ୍ୟ ପରବିର୍ତନ କରିବାକୁ ଦଳ କାମ କରୁଛି । ଭାରତ ପାଇଁ ସବୁଠାରୁ ଭଲ ସମୟ ଆସୁଛି । ଆମକୁ ବିକାଶ ପାଇଁ ନିଜକୁ ଉତ୍ସର୍ଗୀଗୃତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦଳୀୟ ନେତା ଓ ମନ୍ତ୍ରୀମାନଙ୍କୁ କହିଥିବା ଫଡନାଭିସ କହିଛନ୍ତି ।
