ଏଣିକି ବ୍ୟାଙ୍କ ଦେବାଳିଆ ହେଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା
ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜମା ବୀମା ସମସ୍ତ ବାଣିଜ୍ୟିକ ବ୍ୟାଙ୍କରେ ସଂଚୟ, ଫିକ୍ସ ଜମା, ସାମ୍ପ୍ରତିକ ଏବଂ ବାରମ୍ବାର ଜମା ପରି ସମସ୍ତ ଜମାକୁ ଅନ୍ତର୍ଭୁକ୍ତ କରିଥାଏ । ରାଜ୍ୟ, କେନ୍ଦ୍ରୀୟ ଏବଂ ପ୍ରାଥମିକ ସମବାୟ ବ୍ୟାଙ୍କଗୁଡିକରେ ଜମା ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳକୁ ଅନ୍ତର୍ଭୁକ୍ତ କରୁଛି । ଏହି ଜମାରାଶିକୁ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ପ୍ରତି ଜମାକାରୀଙ୍କ ପାଇଁ ଜମା ବୀମା କଭରେଜ୍ ସହିତ ପୂର୍ବ ଆର୍ôଥକ ବର୍ଷ ଶେଷରେ ସମୁଦାୟ ଆକାଉଂଟ ସମ୍ପୂର୍ଣ୍ଣ ସଂରକ୍ଷିତ ଆକାଉଂଟ ସଂଖ୍ୟା ୯୮.୧ ପ୍ରତିଶତ ଥିଲା । ଆନ୍ତର୍ଜାତୀୟ ମାନଦଣ୍ଡ ତୁଳନାରେ ୮୦ ପ୍ରତିଶତ ହୋଇଛି ।
ଏଣିକି ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ହିତାଧିକାରୀଙ୍କ ଜମା ରାଶି ଉପରେ ଲକ୍ଷେ ଟଙ୍କାର ଗ୍ୟାରେଂଟି ଥିଲା । ଅର୍ଥାତ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ରାଶି ଥିଲେ ଏବଂ କୌଣସି କାରଣରୁ ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ କେବଳ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଉଥିଲା । ହେଲେ ମୋଦୀ ସରକାର ଏହାକୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ଏଥିପାଇଁ କେନ୍ଦ୍ରରେ କଂଗ୍ରେସ ସରକାରଙ୍କୁ ଅନୁରୋଧ କରିଆସୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମନମୋହନ ସରକାର ଏହାକୁ ଏଡାଇ ଦେଇଥିଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ରବିବାର ଡିପୋଜିଟର୍ସ ଇନ୍ ବ୍ୟାଙ୍କ ଡିପୋଜିଟ ଇନ୍ସୁରାନ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ପୂର୍ବ ସରକାର ସମସ୍ୟାକୁ ଟାଳି ଦେବାରେ ବିଶ୍ୱାସ କରୁଥିଲେ । ହେଲେ ନୂଆ ଭାରତରେ ସମସ୍ୟାକୁ ଟାଳିଦେବା ବଦଳରେ ଏହାର ସମାଧାନ ପାଇଁ ବାଟ ବାହାର କରିବାକୁ ଗୁରୁତ୍ୱ ଦିଆଯାଉଛି । ବ୍ୟାଙ୍କ ଜମା ଉପରେ ୫ ଲକ୍ଷର ଗ୍ୟାରେଂଟି ସହ ୯୦ ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଅର୍ଥାତ ବ୍ୟାଙ୍କ ବୁଡିବାର ୯୦ ଦିନ ଭିତରେ ଜମାକାରୀଙ୍କୁ ସେମାନଙ୍କ ଜମା ବାବଦରେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ ଓ ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଦାବି କରାଯାଇଛି ।
