ପ୍ରୋଟୋକଲ ଭାଙ୍ଗି ବିଳମ୍ବିତ ରାତିରେ ବାରାଣସୀ ରେଳ ଷ୍ଟେସନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ବାରାଣସୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନ। ପ୍ରୋଟୋକଲରୁ ବାହାରି ପ୍ରଧାନମନ୍ତ୍ରୀ ମୋଦି ଗତ ରାତି ପ୍ରାୟ ଗୋଟାଏ ସମୟରେ ବାରାଣସୀ ରେଳ ଷ୍ଟେସନକୁ ଯାଞ୍ଚ କରିଥିଲେ। ରାତିରେ ପ୍ରଧାନମନ୍ତ୍ରୀ ଗୋଦୌଲିଆ ଛକକୁ ବି ଯାଇଥିଲେ। ଏହି ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସହ ଉପସ୍ଥିତ ଥିଲେ।
ସୋମବାର ବିଳମ୍ବିତ ରାତିରେ ବାରାଣସୀ ରେଳ ଷ୍ଟେସନ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାଶୀ ବିଶ୍ୱନାଥ କରିଡର ତଦାରଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ବାରାଣସୀ ରେଳ ଷ୍ଟେସନର ଫଟୋ ମଧ୍ୟ ସେୟାର କରିଛନ୍ତି। ରେଳ ଷ୍ଟେସନର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି – ‘ପରବର୍ତ୍ତୀ ପାଦ, ବନାରସ ଷ୍ଟେସନ। ରେଳ ସଂଯୋଗ ବୃଦ୍ଧି ସହିତ ସ୍ୱଚ୍ଛ, ଆଧୁନିକ ଏବଂ ଯାତ୍ରୀ ଅନୁକୂଳ ରେଳ ଷ୍ଟେସନକୁ ସୁନିଶ୍ଚିତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ।’ କଡା ସୁରକ୍ଷା ବଳୟ ଭିତରେ ପ୍ରଧାନମନ୍ତ୍ରୀ ମୋଦି, ବାରାଣସୀ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ରେଳ ଷ୍ଟେସନ ଛାଡିବା ବେଳେ ପ୍ରଧାନମନ୍ତ୍ରୀ ହାତ ହଲାଇ ଷ୍ଟଲରେ ଉପସ୍ଥିତ ଦୋକାନୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି। ସେ ଆଜି (ମଙ୍ଗଳବାର) ବାରାଣସୀରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ଡବଲ୍ ଇଞ୍ଜିନ୍ ସରକାରଙ୍କ କାର୍ଯ୍ୟ, ଉତ୍ତମ ଶାସନ ଏବଂ ବିକାଶ ଉପରେ ଆଲୋଚନା କରାଯାଇପାରିବ।
Next stop…Banaras station. We are working to enhance rail connectivity as well as ensure clean, modern and passenger friendly railway stations. pic.twitter.com/tE5I6UPdhQ
— Narendra Modi (@narendramodi) December 13, 2021
ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂ ଚୌହାନ, ତ୍ରିପୁରା ସିଏମ ବିପ୍ଲବ ଦେବ, ହରିୟାଣା ସିଏମ ମନୋହର ଲାଲ ଖଟ୍ଟର, ହିମାଚଳ ପ୍ରଦେଶର ସିଏମ ଜୟ ରାମ ଠାକୁର, ଗୁଜୁରାଟର ସିଏମ ଭୁପେନ୍ଦ୍ର ପଟେଲ ଯୋଗ ଦେବେ। ଏହା ବ୍ୟତୀତ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମାଂଶୁ ଶର୍ମା, ଉତ୍ତରାଖଣ୍ଡ ସିଏମ ପୁଷ୍କର ଧାମି, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କର୍ଣ୍ଣାଟକ ସିଏମ ବିଏସ ବମ୍ମାଇ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଙ୍ଗଳବାର ଅଯୋଧ୍ୟା ଗସ୍ତ କରିବେ।
