ଯୁକ୍ତ ୩ ପ୍ରଥମ ମେଧା ତାଲିକା ପ୍ରକାଶ : କଳାରେ ରେଭେନ୍ସା, ବିଜ୍ଞାନରେ ବିଜେବି ଶୀର୍ଷରେ
ଭୁବନେଶ୍ବର : ଯୁକ୍ତ ୩ ନାମଲେଖା ପାଇଁ ୨୦୨୨-୨୩ ଶିକ୍ଷା ବର୍ଷର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । ଚଳିତବର୍ଷ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ୨ ଲକ୍ଷ ୫୫ ହଜାର ୮୬୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ନାମ ଲେଖାଇବା ପାଇଁ ୧ ଲକ୍ଷ ୭୨ ହଜାର ୮୮୫ ଜଣ ମେରିଟ ଲିଷ୍ଟ୍ରେ ସ୍ଥାନ ପାଇଛନ୍ତି । ସାମ୍ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରଥମ ଥର ସାମିଲ ହୋଇଥିବାରୁ ଏଠାରେ ବିଭିନ୍ନ ବିଷୟର କଟ୍ ଅଫ୍ ମାର୍କ ରେକର୍ଡ ସୃଷ୍ଟି କରିଛି। ଅଧିକାଂଶ ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟକୁ ପଛରେ ପକାଇ ଦେଇଛି। କଳା ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଏବଂ ବିଜ୍ଞାନ ଓ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବିର କଟ୍ ଅଫ୍ ମାର୍କ ଶୀର୍ଷରେ ରହିଛି।
ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୫୧ ହଜାର ୫୮୫ଟି ସିଟ୍ ରହିଛି । ତେବେ କଳାରେ ୧ ଲକ୍ଷ ୭୧ ହଜାର ୭୪, ବାଣିଜ୍ୟରେ ୨୪ ହଜାର ୪୧୯, ସଂସ୍କୃତରେ ୬ ହଜାର ୨୩୪, ପଦାର୍ଥ ବିଜ୍ଞାନରେ ୪୪ ହଜାର ୪୮୨, ଜୀବ ବିଜ୍ଞାନରେ ୪୧ ହଜାର ୧୧୩, ଏସ୍ଏଫରେ ୭ ହଜାର ୭୭୮ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ ୧ ଲକ୍ଷ ୫ ହଜାର ୫୬୯, ଏସ୍ଏଫ୍ରେ ୧୧୬୫, ବାଣିଜ୍ୟରେ ୧୮୬୭୯, ସଂସ୍କୃତରେ ୪୬୪୨, ପଦାର୍ଥ ବିଜ୍ଞାନରେ ୨୪୫୬୧ ଏବଂ ଜୀବ ବିଜ୍ଞାନରେ ୧୮୨୬୯ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୩,୮୫୦ ଛାତ୍ର ରହିଥିବା ବେଳେ ୯୯,୦୧୧ ଛାତ୍ରୀ ରହିଛନ୍ତି । ତୃତୀୟଲିଙ୍ଗୀରେ ରହିଛନ୍ତି ମାତ୍ର ୨୪ ଜଣ । ପ୍ରଥମ ମେରିଟ୍ ଲିଷ୍ଟ୍ରୁ ୮୨,୯୮୧ ଛାତ୍ରଛାତ୍ରୀ ବାଦ ପଡ଼ିଛନ୍ତି । ମୋଟ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧,୫୬,୦୮୭ ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍ ହୋଇ ଆବେଦନ କରିଛନ୍ତି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ସ୍ଲାଇଡ୍-ଅପ୍ ଅପସନ୍ ଫର୍ମ ଅନ୍ଲାଇନ୍ରେ ଦାଖଲ କରିପାରିବେ।
କଳା ବିଭାଗ ସାଧାରଣ ବର୍ଗରେ ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଷୟର କଟ୍ ଅଫ୍ ମାର୍କ ସର୍ବାଧିକ ୯୧.୨୦% ଥିବା ବେଳେ ଭୂଗୋଳରେ ୮୯.୮୩%, ଅର୍ଥନୀତିରେ ୮୯.୬୭%, ଇଂରାଜୀରେ ୮୯.୬୦%, ମନୋ ବିଜ୍ଞାନରେ ୮୮.୧୭%, ଇତିହାସରେ ୮୭.୮୩%, ଗଣିତରେ ୮୭.୮୩%, ସାମାଜିକ ବିଜ୍ଞାନରେ ୮୭%, ପରିସଂଖ୍ୟାନରେ ୮୫.୨୦%, ଶିକ୍ଷାରେ ୮୪.୬୭%, ଦର୍ଶନଶାସ୍ତ୍ରରେ ୮୨.୫୦% ଓ ସଂସ୍କୃତରେ ୮୦% ରହିଛି। ଓଡ଼ିଆ ବିଷୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୮୬%, ହିନ୍ଦୀରେ ଏଫ୍ଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟର ୮୫.୩୩%, ନୃତତ୍ତ୍ବ ବିଜ୍ଞାନରେ ବିଜେବିର ୮୨.୮୦%, ମ୍ୟୁଜିକ୍ ବିଷୟରେ ବିଜେବିର କଟ୍ ଅଫ୍ ମାର୍କ ୮୦.୧୭% ରହିଛି।
ବିଜ୍ଞାନ ବିଭାଗ(ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସ)ରେ ବିଜେବି ଆଗରେ ରହିଛି। ବିଜେବିର ଗଣିତରେ କଟ୍ଅଫ୍ ମାର୍କ ୯୪.୨୦% ରହିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୪.୧୭%, ରସାୟନ ବିଜ୍ଞାନରେ ୯୩%, କମ୍ପ୍ୟୁଟର ସାଇନ୍ସରେ ୯୩%, ଭୂତତ୍ତ୍ବ ବିଜ୍ଞାନରେ ୯୨.୮୩%, ଅର୍ଥନୀତିରେ ୯୨.୮୦% ରହିଛି। ବିଜେବିର ପ୍ରାଣୀ ବିଜ୍ଞାନରେ ୯୫.୪୦%, ଉଦ୍ଭିଦ ବିଜ୍ଞାନରେ ୯୩.୧୭% ରହିଛି। ବାୟୋ-ଟେକ୍ନୋଲୋଜି ବିଷୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଟ୍ ଅଫ୍ ମାର୍କ ୯୧.୨୦% ରହିଛି। ବାଣିଜ୍ୟ ବିଭାଗରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍ଅଫ୍ ମାର୍କ ସର୍ବାଧିକ ୮୯.୮୩% ହୋଇଛି। ସଂସ୍କୃତ ବିଭାଗ ଧର୍ମଶାସ୍ତ୍ର ବିଷୟରେ ପୁରୀ ଜିଲ୍ଲା ସ୍ବର୍ଗଦ୍ବାର ରୋଡସ୍ଥିତ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ଡିଗ୍ରି କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ୭୦.୧୭% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍ ଅଫ୍ ମାର୍କ ସର୍ବାଧିକ ୯୨.୨୦% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
