ଯୁକ୍ତ୩ ନାମଲେଖାରେ କୋହଳ : ଅଣ୍ଡରଟେକିଂ ଦେଇ କରି ହେବ ଆଡମିଶନ
ଭୁବନେଶ୍ୱର : ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଛି। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ସିବିଏସ୍ଇ ଓ ଆଇସିଏସ୍ସିଇ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ସାର୍ଟିଫିକେଟ୍ ଓ ମାର୍କସିଟ୍ ମିଳିନି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖାରେ କିଛିଟା କୋହଳ କରାଯାଇଛି। ଯୁକ୍ତ୨ର ଅରିଜିନାଲ ସାର୍ଟିଫିକେଟ ଓ ମାଇଗ୍ରେସନ ସାର୍ଟିଫିକେଟ ବିନା ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମଲେଖାଇ ପାରିବେ। । ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବଞ୍ଚିତ ନହେବେ, ସେଥିପ୍ରତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲିଖିତ ଭାବେ ଦେବାକୁ ପଡ଼ିବ।
ପ୍ରଥମ ସିଲେକ୍ସନର ୧୫ଦିନ, ଦ୍ୱିତୀୟ ସିଲେକ୍ସନର ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଅରିଜିନାଲ ମାର୍କସିଟ୍ ଦେବାକୁ ପଡ଼ିବ। ଆଡମିଶନର ମାସକ ମଧ୍ୟରେ ମାଇଗ୍ରେସନ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅରିଜିନାଲ ସାର୍ଟିଫିକେଟ୍ ନଦେଲେ ଆଡମିଶନ ରଦ୍ଦ ହୋଇଯିବ। ସେହିପରି ଆଇସିଏସଇ,ସିବିଏସଇ ଅବା ଅନ୍ୟ ବୋର୍ଡର ଛାତ୍ରଛାତ୍ରୀମାନେ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେଲେ ସେମାନେ ନିଶ୍ଚିତ ଭାବେ ଡାଉନଲୋଡ୍ କରିଥିବା ନିଜର ମାର୍କସିଟ୍ ଓ ସାର୍ଟିଫିକେଟ୍ ଦାଖଲ କରିବେ। ଏହି ସାର୍ଟିଫିକେଟ୍ ଓ ମାର୍କସିଟ୍ ଓରିଜିନାଲ ହୋଇନଥିଲେ ସେମାନେ ପଢ଼ୁଥିବା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଏହାକୁ ଆଟେଷ୍ଟେଡ୍ କରାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରଛାତ୍ରୀମାନଙ୍କଠୁ ସେମାନଙ୍କର ମାର୍କସିଟ୍ ଓ ଅଣ୍ଡରଟେକିଂ ରଖି ନାମ ଲେଖାଇବାକୁ ସୁଯୋଗ ଦେବାକୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ଡାଉନଲୋଡ୍ କରିଥିବା ମାର୍କସିଟ୍ ଦେଇ ନାମ ଲେଖାଇ ପାରିବେ। ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ରାଜେଶ କୁମାର ସାହୁ ସମସ୍ତ କଲେଜ ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ,କରୋନା ଯୋଗୁ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ଶ୍ରେଣୀରେ ଆଡମିଶନ ସମୟରେ ନିଜର ଓରିଜିନାଲ ସାର୍ଟିଫିକେଟ୍, ମାର୍କସିଟ୍ ଓ ମାଇଗ୍ରେସନ ସାର୍ଟିଫିକେଟ୍ ଦେବା ହୁଏତ ସମ୍ଭବପର ହୋଇପାରିବ ନାହିଁ। ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରୁ ଯୁକ୍ତ ଦୁଇ ପାସ୍ କରିଥିବା ପିଲାଙ୍କ ପାଇଁ ଏହି ସବୁ ଦସ୍ତାବିଜ ଦାଖଲ କରିବାରେ ସମସ୍ୟା ରହିଛି। ତେଣୁ ୨୦୨୧-୨୨ ଶିକ୍ଷା ବର୍ଷରେ ନାମଲେଖା ସମୟରେ ଆବଶ୍ୟକ ନିର୍ଦ୍ଦେଶନାମା ପାଳନ କରିବାକୁ ସମସ୍ତ କଲେଜକୁ ପରାମର୍ଶ ଦିଆଯାଇଛି।
