ଆଜି ଠାରୁ ଯୁକ୍ତ୨ ପରୀକ୍ଷା, ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବ +୨ ପରୀକ୍ଷା । ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହୋଇ ମେ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତ ବର୍ଷ ମୋଟ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ ବା +୨ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଅଟନ୍ତି ।
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ପରୀକ୍ଷା ନିମନ୍ତେ ୧,୧୩୩ ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଂଟର) କରାଯାଇଛି । କଳା ଓ ବାଣିଜ୍ୟ ପରୀକ୍ଷା ଏପ୍ରିଲ ୨୮ ତାରିଖ ଠାରୁ ଆରମ୍ଭ ହେବ । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ । ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ମେ’ ମାସ ୯ ତାରିଖ ଠାରୁ ଆରମ୍ଭ ହେବ । ବିଜ୍ଞାନ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଭୋକେସନାଲ ଛାତ୍ରଛାତ୍ରୀମାନେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ । ଚଳିତ ଥର ୨ଟି ପ୍ରକ୍ରିୟାରେ ପରୀକ୍ଷା ମୂଲ୍ୟାଙ୍କନ ହେବ । ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତିରେ ମାର୍କ । ନଚେତ ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କିଂ ହେବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ ।
