କୁଡୁମି ମହାସମାବେଶ ପାଇଁ ଯୋଜନା ବୈଠକ ହଜାରେ ମାଦଳ ସହ ଲକ୍ଷେ କୁଡୁମି ନାଚିବେ
କୁଡୁମିଙ୍କ ଅଧିକାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଯୋଜନା
ବାରିପଦା : ସ୍ଥାନୀୟ ଜନାର୍ଦ୍ଦନପୁର ଠାରେ ଥିବା କୁଡୁମି-ମହାନ୍ତ ମହାସଭାର କାର୍ଯ୍ୟାଳୟରେ ବରିଷ୍ଠ କର୍ମକର୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଫେବ୍ରୁଆରି ୨୬ ତାରିଖ ଦିନ ବାରିପଦା ଛଉ ପଡିଆରେ ହେବାକୁ ଥିବା କୁଡୁମି ଅଧିକାର ଓ ସାଂସ୍କୃତିକ ମହା ସମାବେଶକୁ କିପରି ସଫଳ କରାଯାଇ ପାରିବ ସେ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଛି । ସମାବେଶରେ ଏକ ହଜାର ମାଦଳ ସହ ଏକଲକ୍ଷ କୁଡୁମିଙ୍କ ସମାଗମ ପାଇଁ ଯୋଜନା ପ୍ରସ୍ତୁତ ଯାଇଛି । ଏହି ମହା ସମାବେଶକୁ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ତଥା ଓଡିଶାର ସମସ୍ତ ନେତୃମଣ୍ଡଳୀ ଓ ଅଗ୍ରଣୀ ସଂଗଠକ ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ଶହ ଶହ ଝୁମର ନୃତ୍ୟ ଦଳକୁ କାର୍ଯ୍ୟକ୍ରମରେ ସାମିଲ କରିବାର ଯୋଜନା ହୋଇଛି । ଏହି ମହାସମାବେଶରେ କୁଡୁମି ମାନଙ୍କୁ ଅଧିକାର ପ୍ରଦାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ । ମହାସଭାର ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁ ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହା ସମାବେଶ ସଂଯୋଜନା କମିଟିର ଆବାହକ ଛୋଟଲାଲ ମହାନ୍ତ, ମହାସଭାର ସାଧାରଣ ସମ୍ପାଦକ ଆଡଭୋକେଟ ବସନ୍ତ କୁମାର ମହାନ୍ତ, ଉପଦେଷ୍ଟା ଅବନୀ କୁମାର ମହାନ୍ତ, ବୈଦ୍ଯନାଥ ମହାନ୍ତ, ମହାସଭାର ଜିଲ୍ଲା ସଭାପତି ପଦ୍ମଲୋଚନ ମହାନ୍ତ, କାର୍ଯ୍ୟକାରୀ ସଭାପତି ଇଂ ପ୍ରଦୀପ ମହାନ୍ତ, ଅଦିମ କୁଡୁମି ସମାଜର ସଭାପତି ପଦ୍ମଲୋଚନ ମହାନ୍ତ, କୁଡମାଲୀ କାଲଚୁରଲ ଏସୋସିଏସନର ସାଧାରଣ ସମ୍ପାଦକ ଚିତରଂଜନ ମହାନ୍ତ ଓ ସମ୍ପାଦକ ଡ. ଭକ୍ତହରି ମହାନ୍ତ, ଯୁବନେତା ଶ୍ରୀ ପଟେଲ ମହାନ୍ତ ଓ ବରିଷ୍ଠ ସଂଗଠକ ଶ୍ରୀ ମୋହନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
