କାବୁଲରୁ ଉଡ଼ିଲା ବିମାନ
କାବୁଲ : ତାଲିବାନର ସରକାର ଗଠନ ପରେ ପ୍ରଥମଥର ପାଇଁ କାବୁଲରୁ ଉଡ଼ିଲା ବିମାନ । ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନ ଛାଡ଼ିବା ପରେ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ବନ୍ଦ ରହିଥିଲା। ଆମେରିକା ସେନା କାବୁଲ ଛାଡ଼ିବା ପରେ ଏଠାରେ ଥିବା ଏୟାରପୋର୍ଟକୁ ତାଲିବାନୀମାନେ ଦଖଲ କରିଥିଲେ। କତାର ସହାୟତାରେ ବିମାନ ବନ୍ଦରର ବୈଷୟିକ କାମ କରାଯାଇଥିଲା। କାମ ଶେଷ ହେବା ପରେ ପ୍ରଥମ ବିମାନ ଉଡ଼ିଛି। କାବୁଲରୁ ଛାଡ଼ିଥିବା ପ୍ରଥମ ବ୍ୟବସାୟିକ ବିମାନରେ ୨୦୦ରୁ ଅଧିକ ଯାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଇଞ୍ଜିନିୟର, ଆମେରିକା ନାଗରିକ ଓ କିଛି ଅନ୍ୟ ରାଷ୍ଟ୍ରର ନାଗରିକ ଥିବା କୁହାଯାଉଛି। ତେବେ କୌଣସି ଆଫଗାନ ନାଗରିକ ବିମାନ ଜରିଆରେ ବିଦେଶକୁ ଯାତ୍ରା କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
ଆଜି ଠାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାରୁ ସାରା ବିଶ୍ୱକୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। କାରଣ ତାଲିବାନ ଆଫଗାନକୁ ଦଖଲ କରିବା ପରେ ଅନେକ ରାଷ୍ଟ୍ରର ନାଗରିକ ସେଠାରେ ଫସି ରହିଛନ୍ତି। ସେମାନେ କାବୁଲରୁ ଉଦ୍ଧାର ହୋଇପାରିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ହେଲେ ଆଜି ତାଲିବାନ ବିମାନ ଚଳାଚଳକୁ ଅନୁମତି ଦେଇଥିବାରୁ ସବୁ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣିବାକୁ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି।
