ୟୁପିଏ ଶାସନ କ୍ଷମତାକୁ ଆସିଲେ ପେଟ୍ରୋଲ-ଡ଼ିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ : ଭୂପେଶ ବଘେଲ
ନାଗପୁର : ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଚିନ୍ତାବ୍ୟକ୍ତ କରିଛନ୍ତି । ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଯଦି କଂଗ୍ରେସ- ୟୁପିଏକୁ ଶାସନ କ୍ଷମତା ମିଳେ ତେବେ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ । ଦରଦାମ୍ ବୃଦ୍ଧିକୁ ବିରୋଧ କରି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ କହିଥିଲେ ଯେ, ଗେଟିଏ ଦେଶ ଗୋଟିଏ ଟିକସ ନୀତି ଅନୁସାରେ କଂଗ୍ରେସ ଜିଏସଟିକୁ ଆଣିଥିଲା । ସେ ସମୟରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ବିରୋଧ କରିଥିଲେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଜିଏସଟିର ସରଂଚନାରେ ମନମୁଖୀ ପରିବର୍ତନ କରିବା ସହ ଅଧ ରାତିରେ ଦେଶରେ ଜିଏସଟି ଲାଗୁ କରିଥିଲେ । ଏହା ସତ୍ୱେ କେନ୍ଦ୍ର ସରକାର ପେଟ୍ରୋଲ -ଡ଼ିଜେଲକୁ ଜିଏସଟି ପରିସରଭୁକ୍ତ କରିନାହାଁନ୍ତି । ଏନେଇ ଶ୍ରୀ ବଘେଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି । ତେବେ ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବର୍ତମାନ ସୁଦ୍ଧା ଚିଠିର କୌଣସି ଜବାବ ମିଳିନଥିବାରୁ ବଘେଲ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ୟୁପିଏ ଯଦି ଶାସନ କ୍ଷମତାକୁ ଆସେ, ତେବେ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ । କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳରେ ବର୍ତମାନ ସୁଦ୍ଧା ପେଟ୍ରୋଲ ଦରରେ ୨୬ ପ୍ରତିଶତ ଓ ଡ଼ିଜେଲର ଦରରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି । ଦରବୃଦ୍ଧି ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ବେହାଲ୍ ହୋଇପଡିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି, ବେରୋଜଗାରୀ ସମସ୍ୟା ପାଇଁ ସେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୧ ଜୁଲାଇ ୨୦୧୭ ରେ ଯେତେବେଳେ ଜିଏସଟି ଲାଗୁ ହୋଇଥିଲା । ସେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜର ରାଜସ୍ୱକୁ ଦୃଷ୍ଟିରେ ରଖି କଂଚା ତେଲ, ପ୍ରାକୃତିକ ଗ୍ୟାସ୍ , ପେଟ୍ରୋଲ, ଡ଼ିଜେଲ ଏବଂ ଏଟିଏଫକୁ ଜିଏସଟି ପରିସରଭୁକ୍ତ କରିନଥିଲେ । ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ୍ ପୃଥକ୍ କର ଲାଗୁ କରିଥାଏ । ଏବଂ ସେଥିରୁ ମିଳୁଥିବା ଅର୍ଥ ସରକାରୀ ରାଜକୋଷକୁ ଯାଇଥାଏ ।
