୨୯ ଶାବକ ଜନ୍ମ କରିଥିବା ‘କଲାରବାଲୀ’ ବାଘୁଣୀର ମୃତ୍ୟୁ
ନୂଆଦିଲ୍ଲୀ : ୨୯ଟି ଶାବକ ଜନ୍ମ କରିଥିବା ଗୋଟାଏ ବୁଢ଼ୀ ବାଘୁଣୀ ମଧ୍ୟପ୍ରଦେଶର ‘ପେଂଚ୍ ଟାଇଗର୍ ରିଜର୍ଭ’ରେ ମୃତ୍ୟୁବରଣ କରିଛି । ମୃତ୍ୟୁ ବେଳକୁ ୧୬ ବର୍ଷରୁ ଅଧିକ ବୟସ ହୋଇଥିବା ବନ ବିଭାଗ ଅଧିକାରୀମାନେ ଉକ୍ତ କିଂବଦନ୍ତି ବାଘୁଣୀର ନାଁ ‘ଟି୧୫’ ଦେଇଥିଲେ ମଧ୍ୟ ସେ ସ୍ଥାନୀୟ ଅଧିବାସୀମାନେ ଶ୍ରଦ୍ଧାରେ ତାକୁ ‘କଲାରବାଲୀ’ ଓ ‘ମାତାରାମ୍’ କହୁଥିଲେ ।
ବାଘୁଣୀର ମୃତ୍ୟୁ ପାଇଁ ଶୋକବ୍ୟକ୍ତ କରି ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟ?ର୍ ନରୋତମ ମିଶ୍ରା ଟୁଇଟ୍ କରିଛନ୍ତି, ‘ସୁପର୍ ମମ୍’କୁ ଶେଷ ଅଭିବାଦନ । ୨୯ଟି ଶାବକଙ୍କୁ ଜନ୍ମ ଦେଇଥିବା ପେଂଚ୍ ଟାଇଗର୍ ରିଜର୍ଭର ‘କଲାରବାଲୀ ବାଘୁଣୀ’ର ମୃତ୍ୟୁ ଖବର ଦୁଃଖଦାୟକ । ଏହି ‘ସୁପର୍ ମମ୍’ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟପ୍ରଦେଶକୁ ‘ବ୍ୟାଘ୍ର ରାଜ୍ୟ’ ବୋଲି ଗୌରବଶାଳୀ ପରିଚୟ ମିଳିଛି ।
‘ଏପିସିସିଏଫ୍’ ଏବଂ ପେଂଚ୍ର ପୂର୍ବତନ କ୍ଷେତ୍ର ନିର୍ଦେଶକ ଶୁଭ୍ରଞ୍ଜନ ସେନ କହିଛନ୍ତି, ବଣରେ ୧୭ ବର୍ଷ ବଂଚିବା ଗୋଟାଏ ବାଘ ପାଇଁ ବହୁତ ବଡ଼ କଥା । ପୂର୍ବରୁ କାହ୍ନାରେ ‘ଲିଙ୍କ୍-୭’ ଏବଂ ‘ଚୁହୁରି’ ଦୀର୍ଘ ବର୍ଷ ବଂଚିଥିଲେ । ‘କଲାରବାଲୀ’ର ମୃତ୍ୟୁ ଖବର ଶନିବାର ଅପରାହ୍ଣରେ ପ୍ରଘଟ ହୋଇଥିଲେ ମଧ୍ୟ ପରେ ବନ ବିଭାଗ ତାହା ସୁନିଶ୍ଚିତ କରିଥିଲା । ଦୁଇ ଦିନ ଚିକିତ୍ସାଧୀନ ରହିବା ପରେ ଶନିବାର ସନ୍ଧ୍ୟା ୬.୧୫ରେ ତା’ର ମୃତ୍ୟୁ ଘଟିଥିବା କଥା ‘ପିସିସିଏଫ୍’ ଆଲୋକ କୁମାର କହିଛନ୍ତି ।
