ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ
ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ସ୍ୱେଚ୍ଛାଚାରୀ ଶାସନ ବିଶେଷ କରି ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ନିରପେକ୍ଷତାକୁ ପାଦରେ ଦଳିମକଚି ଦଳୀୟ ସ୍ୱାର୍ଥ ପାଇଁ ବିରୋଧୀ ଦଳ ନେତାମାନଙ୍କ ବିରୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ସମ୍ପ୍ରତି ନ୍ୟାସନାଲ ହେରାଲ୍ଡରୁ ପୁଞ୍ଜି ପ୍ରତ୍ୟାହାର ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଆଇସିସିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବାରମ୍ବାର ସମନ କରି ଜେରା କରିବା ଘଟଣାକୁ ଏଆସିସି ବିରୋଧ କରିଛି । ଏହି ପରିପ୍ରେକ୍ଷୀରେ ଏଆଇସିସିର ନିର୍ଦ୍ଦେଶକ୍ରମେ ପିସିସି ପକ୍ଷରୁ ରାଜ୍ୟବ୍ୟାପୀ ସବୁ ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ତଳେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହର ଆୟୋଜନ କରାଯାଇଥିଲା ।
ବୁଧବାର ପୂର୍ବାହ୍ଣରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମକର୍ତା ଓ କର୍ମୀମାନେ ସିନେମାଛକରେ ଥିବା ସହିଦ ପାର୍କରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତି ତେଳେ ସତ୍ୟାଗ୍ରହ କରିଥିଲେ । ଏହି ଅବସରରେ ସଞ୍ଜୀବ ଗିରି କହିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରକୃତ ଓ ବାସ୍ତବ ସମସ୍ୟା ପ୍ରତି ଧ୍ୟାନ ଦେବା ପରିବର୍ତେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ସାଧାରଣରେ ନିନ୍ଦିତ କରିବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ହତିଆର ଭାବେ ବ୍ୟବହାର କରୁଛନ୍ତି । ଦେଶରେ ଦରଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ ବିସ୍ତାରବାଦୀ ଚିନ୍ ଭାରତ ସୀମା ଭିତରେ ସାମରିକ ରାସ୍ତା ଓ କଲୋନୀ ନିର୍ମାଣ କଲାଣି । ସେଥିପ୍ରତି ଧ୍ୟାନ ନଦେଇ ଜନଆକ୍ରୋଶରୁ ରକ୍ଷା ପାଇବା ପାଇଁ ଏବେ ନ୍ୟାସନାଲ ହେରାଲ୍ଡର ଅର୍ଥ ଟ୍ରାନ୍ସଫର ମାମଲାକୁ ଆଳ କରି ୭୪ବର୍ଷ ବୟସ୍କା ସୋନିଆ ଗାନ୍ଧୀଙ୍କୁ ବାରମ୍ବାର ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଡକାଇ ଜେରା କରିବା ଆଳରେ ହଇରାଣ ହରକତ କରୁଛନ୍ତି । ତେଣୁ ତୁରନ୍ତ ଏହା ବନ୍ଦ ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ । ଏହି ସତ୍ୟାଗ୍ରହରେ ଗୋପୀନାଥ ପାଢ଼ୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପାରମିତା ମହାନ୍ତି, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ଜୀବନ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବାସନ୍ତୀ ସାମଲ, ଶେଖ୍ ଅସଗର ଅଲ୍ଲୀ, ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ କୁମାର ଦାସ, ପରିତୋଷ ମଣ୍ଡଳ, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଛାତ୍ରକଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ନୀଳଗିରି ଛାତ୍ରକଂଗ୍ରେସ ସଭାପତି ଅଶ୍ୱିନୀ କୁମାର ପାତ୍ର, ସୁବ୍ରତ ପ୍ରଧାନ, ଜ୍ୟୋସ୍ନା ସେନାପତି, ଶ୍ରମିକ ନେତା ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
