ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା
ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ସମାରୋହ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ସକାଳେ ଭୁବନେଶ୍ୱରରେ ଶାନ୍ତି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବ ନିର୍ଦ୍ଧାରିତ ସମୟ ସକାଳ ୯ ଘଣ୍ଟା ସମୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକା ଓ ଟାକାଡୋ ଅତିଥୀ ଭାବେ ଯୋଗଦେଇ ପତାକା ହଲାଇ ଏହି ଶାନ୍ତି ପଦଯାତ୍ରାର ଶୁଭ ଉଦଘାଟନ କରିଥିଲେ।
ରାଜ୍ୟ ସରକାର, କଳିଙ୍ଗ ନିଷ୍ଣନ ବୁଦ୍ଧ ସଂଘ, ଧଉଳି ଉନ୍ନୟନ ପରିଷଦ କମିଟିର ମିଳିତ ଆନୁକୁଲ୍ୟରେ ଆସନ୍ତା କାଲି ୨୮ ତାରିଖରେ ଅନୁଷ୍ଠିତ ହେଉଥିବା ଧଉଳି ଶାନ୍ତିସ୍ତୁପର ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆଜି ଅନୁଷ୍ଠିତ ଏହି ଶାନ୍ତି ପଦଯାତ୍ରାରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସାଧୁସନ୍ଥମାନେ ଯୋଗଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ପ୍ରଥମେ ଭୁବନେଶ୍ବର ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷୀଣ ଗୃହରୁ ବାହାରି ପଦଯାତ୍ରାରେ ପଥ ସାରା ଢୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ନା-ମ୍ୟୁ-ଫୋ-ହୋ-ରେନ୍-ଗେ-କୋ ଉଚ୍ଚାରଣ କରି ରାଜଭବନ ଛକଦେଇ ଏଜି ଛକ ପର୍ଯ୍ୟନ୍ତ ଅତିକ୍ରମ କରିଥିଲେ। ଏହାପରେ ସମସ୍ତ ଅତିଥିମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ଵତନ୍ତ୍ର ବସ ଯୋଗେ ଧଉଳି ଛକରେ ପହଞ୍ଚିଲେ। ସେଠାରୁ ସେମାନେ ପୁନଶ୍ଚ ପଦଯାତ୍ରାରେ ବାହାରି ଧଉଳି ଶାନ୍ତିସ୍ତୁପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।
ଧଉଳି ଶାନ୍ତିସ୍ତୁପ ପଦଦେଶରେ ଥିବା ଯୁବା ସମ୍ରାଟ ଅଶୋକଙ୍କ ଶିଳାଲେଖ ଠାରେ ପ୍ରାର୍ଥନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା ଭୁବନେଶ୍ବର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଏହି ପଦ ଯାତ୍ରାକୁ ସଫଳ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦେଶ ବିଦେଶରୁ ଆସିଥିବା ଏହି ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ। ନୂତନ ଭାବେ ଓଡ଼ିଶା ଗସ୍ତ କରିଥିବା ବୌଦ୍ଧ ଭିକ୍ଷୁମାନେ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରି ଅତ୍ୟନ୍ତ ଭାବବିହ୍ବଳ ହୋଇଥିଲେ। ଏହି ଅବସରରେ ଧଉଳି ଠାରେ ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଆସୁଥିବା କେତେକ ସଂଖ୍ୟକ ଅସ୍ବଚ୍ଛ ବୃକ୍ଷ ଅତିଥିମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା।
