ବିବାହ ସମୟରେ ପୋଷାକ ଓ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ
ଭାରତୀୟ ପରମ୍ପରାରେ ବୋହୂ ଶାଢ଼ି ସାଧାରଣତଃ ଲାଲ ରଙ୍ଗର ହୋଇଥାଏ । ଲାଲ ପ୍ରେମ, ଶକ୍ତି ଓ ପ୍ରତିଭାର ପ୍ରତୀକ । ତେଣୁ ନିଜ ପାଇଁ ଶାଢ଼ି ପସନ୍ଦ କରିବାବେଳେ ଲାଲ ଶାଢ଼ି ହିଁ ବାଛନ୍ତୁ ।
ଲାଲ ଶାଢ଼ି ପିନ୍ଧୁଥିଲେ ଏହାର ଠିକ୍ ବିପରୀତ ବା ଲାଲରେ ଫୁଟି ଉଠିବା ଭଳି ରଙ୍ଗର ବ୍ଲାଉଜ୍ ପସନ୍ଦ କରନ୍ତୁ । ସମାନ ରଙ୍ଗର ଶାଢ଼ି ଓ ବ୍ଲାଉଜ୍ ଆଦୌ ଆକର୍ଷଣ ନୁହେଁ ।
ନିଜକୁ ବୋହୂ ବେଶରେ ସଜାଇବାବେଳେ ଧ୍ୟାନ ରଖିବେ ଯେ ଯେଉଁ ପୋଷାକ ଓ ସୌନ୍ଦର୍ଯ୍ୟ ଉପକରଣ ବ୍ୟବହାର କରୁଛନ୍ତି ତାହା ସ୍ୱାସ୍ଥ୍ୟ ଅନୁପଯୋଗୀ ହୋଇଥିବ । ପରିଧାନ ଆପଣଙ୍କୁ ଆରାମ ଦେବା ନିହାତି ଜରୁରୀ ।
ଏହି ଦିନ ବହଳ ଏମ୍ବ୍ରୋଡରୀ, ଜରି ଓ ପଥର ଖଞ୍ଜା ଶାଢ଼ି ପିନ୍ଧିବାକୁ ପଡ଼େ । ଆଜିକାଲି ବିବାହ ଶାଢ଼ିରେ ତାରକସି କାମ ମଧ୍ୟ ହେଉଛି । ଏଭଳି ଶାଢ଼ି ଆପଣଙ୍କ ବୋହୂ ବେଶକୁ ଖୁବ୍ ମାନେ ଓ ବ୍ୟକ୍ତିତ୍ୱ ପ୍ରଭାବଶାଳୀ କରେ ।
ବିବାହ ଦିନ ସମସ୍ତଙ୍କ ଦୃଷ୍ଟି ବୋହୂ ଉପରେ ପଡ଼ିଥାଏ । ତେଣୁ ନିଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ କିଛି ଦାମୀ ଛୋଟ ପଥର ଖଞ୍ଜିତ ଶାଢ଼ି ବ୍ୟବହାର କରନ୍ତୁ । ଶାଢ଼ିର ରଙ୍ଗ ସହ ପଥରଗୁଡ଼ିକର ରଙ୍ଗ ମେଳ ଖାଇବା ଉଚିତ ନୁହେଁ ।
ଲାଲ ରଙ୍ଗ ଯଦି ଆପଣଙ୍କର ପସନ୍ଦ ନହେଉଛି ତେବେ ନୀଳ ଲୋହିତ, ରାଣୀ ବା ଈଷତ୍ ଗୋଲାପୀ ରଙ୍ଗର ଶାଢ଼ି ପରିଧାନ କରିପାରନ୍ତି । ଧଳା ବା ରୂପା ରଙ୍ଗର ଜରି କାମ ଥିବା ଧଡ଼ି ଗୋଲାପୀ ଶାଢ଼ୀକୁ ବେଶ୍ ମାନିବ ।
ଲାଲ ବା ନୀଳ-ଲୋହିତ ରଙ୍ଗ ସମସ୍ତଙ୍କର ପସନ୍ଦ ନୁହେଁ । କିଛି ପସନ୍ଦ କରନ୍ତି ହାଲୁକା ରଙ୍ଗର ପରିଧାନକୁ । ଏଭଳି ଝିଅମାନେ ବିବାହ ଦିନ ଫିକା ଆକାଶୀ ବା ଫିକା ସମୁଦ୍ର ଜଳ ରଙ୍ଗର ଶାଢ଼ି ପରିଧାନ କଲେ ଭଲ ହେବ । ଏଭଳି ଶାଢ଼ିରେ ସୁନା ତାରକସି ବା ଜରିକାମ ଥିବା ଧଡ଼ି ଓ ପଣତ ବେଶ୍ ମାନିବ । ଏହା ସାଙ୍ଗକୁ ଆପଣଙ୍କ ସୁନା ଅଳଙ୍କାର ମଧ୍ୟ ବେଶ୍ ମ୍ୟାଚ୍ କରିବ ।
ଚୁନ୍ରୀ ଓ ଲେହେଙ୍ଗା ପିନ୍ଧିବାକୁ ଚାହୁଁଥିଲେ ମଧ୍ୟ ଅନୁରୂପ ରଙ୍ଗ ପସନ୍ଦ କରନ୍ତୁ ।
ବିବାହ ପରେ ରିସେପ୍ସନ୍ ପାର୍ଟି ପାଇଁ ଆପଣ ହାଲୁକା ରଙ୍ଗର ଶାଢ଼ି ବା ଲେହେଙ୍ଗା ପସନ୍ଦ କଲେ ଭଲ । କାରଣ ଏଇ ଦୁଇ ଦିନରେ ଦୁଇଟି ରଙ୍ଗ ବ୍ୟକ୍ତିତ୍ୱକୁ ଅଧିକ ପ୍ରଭାବଶାଳୀ ସୁନ୍ଦର କରିବ । ହାଲୁକା ରଙ୍ଗ ସରଳ ଓ କୋମଳତାର ପ୍ରତୀକ ।
ଯେଉଁ ରଙ୍ଗର ଶାଢ଼ି ବା ଲେହେଙ୍ଗା ପିନ୍ଧୁଛନ୍ତି ସେଇ ସମାନ କଲରର କମ୍ ହିଲ୍ ଥିବା ଜୋତା, ନହେଲେ ସୁନା ବା ରୂପା ରଙ୍ଗର ଜୋତା ପିନ୍ଧନ୍ତୁ । ରିସେପ୍ସନ୍ ପାର୍ଟିରେ ଧଳା ରଙ୍ଗର ସୁନେଲୀ ବା ରୂପେଲୀ ଜରିକାମ ଥିବା ଜୋତା ପିନ୍ଧିଲେ ଭଲ ।
