ରାଜ୍ୟସଭାରେ ବିଲ୍ ପାସ୍; ଗୋଟିଏରେ ପରିଣତ ହେବେ ଦିଲ୍ଲୀର ୩ ନଗର ନିଗମ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୩ ନଗର ନିଗମ ବ୍ୟବସ୍ଥା ରହିବ ନାହିଁ । ୩ଟି ଯାକ ନଗର ନିଗମ ବା ମ୍ୟୁନସିପାଲ କର୍ପୋରେସନ ଏକାଠି ହୋଇ ଗୋଟିଏ ନିଗମରେ ପରିଣତ ହେବେ । ଏ ସଂକ୍ରାନ୍ତ ବିଲ୍ ମଙ୍ଗଳବାର ରାଜ୍ୟସଭାରେ ପାସ୍ ହୋଇଛି । ପୂର୍ବରୁ ଏହା ଲୋକସଭାରେ ମଧ୍ୟ ପାରିତ ହୋଇଥିଲା ।
ମଙ୍ଗଳବାର ରାଜ୍ୟସଭାରେ ବିଲ୍କୁ ବିରୋଧ କରି ପ୍ରବଳ ହଟ୍ଟଗୋଳ ହୋଇଥିଲା । ତଥାପି କ୍ଷମତାସୀନ ବିଜେପି ସରକାର ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍ ପାରିତ ହୋଇଛି । ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍ ଉପରେ ମୋହର ମାରିବା କ୍ଷଣି ଏହା ଆଇନରେ ପରିଣତ ହୋଇଯିବ । ବର୍ତମାନ ରାଜଧାନୀରେ ପୂର୍ବ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ, ଉତର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଓ ସାଉଥ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ନାମରେ ୩ଟି ନଗମ କାର୍ଯ୍ୟ କରୁଛି । ୩ ନଗର ନିଗମ ଯୋଗୁ ରାଜସ୍ୱ ଆଦାୟ ଠିକ ଭାବେ ହୋଇପାରୁ ନାହିଁ । ବିକାଶ ପାଇଁ ଭିତିଭୂମିର ମଧ୍ୟ ଅଭାବ ପଡ଼ୁଛି । ଏଥିପାଇଁ କର୍ମଚାରୀଙ୍କୁ ଦରମା ଓ ଅବସର ପରେ ପେନସନ ପ୍ରଦାନରେ ଅନେକ ସମସ୍ୟା ଉପୁଜୁଛି । ତେଣୁ କେନ୍ଦ୍ର ସରକାର ଏହାକୁ ନଜର ରଖି ୩ ନଗର ନିଗମକୁ ଗୋଟିଏରେ ପରିଣତ କରିବାକୁ ବିଲ ପାରିତ କରିଥିବା କହିଛନ୍ତି ।୨୦୧୨ରେ ୟୁପିଏ ସରକାର ଦିଲ୍ଲୀରେ ୩ ନଗର ନିଗମ ବ୍ୟବସ୍ଥା ପ୍ରଚଳନ କରିଥିଲେ । ସେବେଠାରୁ ଏହି ନଗର ନିଗମ ଗୁଡ଼ିକ ସ୍ୱଂୟଶାସିତ ଭାବେ କାର୍ଯ୍ୟ କରୁଥିଲେ । ଏବେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ସଂଶୋଧନ (ଏମସିଡି)ବିଲ୍ ଜରିଆରେ ଏହି ବ୍ୟବସ୍ଥାକୁ ବଦଳାଇ ଦେଇଛନ୍ତି ।
