ଓଡ଼ିଶାରେ ଦୃଶ୍ୟମାନ ହେଲା ଆଂଶିକ ସୂର୍ଯ୍ୟପରାଗ, ବନ୍ଦ ରହିଲା ଦେବ ନୀତି
ଭୁବନେଶ୍ୱର : ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଥିଲା । ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଥିଲା । ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହୋଇଥିଲା । ସୂର୍ଯ୍ୟୋପରାଗ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବାସୀଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିଲା । ଭୁବନେଶ୍ୱର ପ୍ଲାନେଟାରିଅମରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏତଦ ବ୍ୟତୀତ ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖିଥିଲେ । ଭୁବନେଶ୍ୱର ସାଇନ୍ସ ପାର୍କରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ବା ପରାଗକୁ ଅଶୁଭ ଘଟଣାରେ ଗଣତି କରାଯାଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ । ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଯାଆନ୍ତି ବୋଲି ବିଶ୍ୱାସ ରହିଛି । ପରାଗ ସ୍ପର୍ଶ କରିବାର୧୨ ଘଂଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା । ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହୋଇଯାଇଛି । କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ । କାର୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତନ କରାଯାଇଥିଲା ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପରାଗ ସ୍ପର୍ଶର ୧୨ଘଂଟା ପୂର୍ବରୁ ଅର୍ଥାତ୍ ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଥିଲା । ଲୋକେ ବିଶ୍ୱାସର ସହ ଏହାକୁ ପାଳିଥିଲେ । ଘରେ ଘରେ ବନ୍ଦ ରହିଥିଲା ରୋଷେଇ । ଅନେକ ଲୋକ ଅନ୍ନ ଭୋଜନ ନକରି କେବଳ ଜଳଖିଆ ଖାଇଥିଲେ । ତେବେ ଗ୍ରହଣ ସହ ଖାଦ୍ୟର କୌଣସି ସମ୍ପର୍କ ନଥିବା ଦର୍ଶାଇ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାମୁହିକ ଭୋଜନ । ଶହ ଶହ ଲୋକ ଏଥିରେ ସାମିଲ ହୋଇଥିଲେ । ଭୁବନେଶ୍ୱରରେ ମଧ୍ୟ ଅନେକ ଲୋକ ଚିକେନ୍ ବିରିୟାନୀ ଖାଉଥିବା ଦେଖିବାକୁ ମିଳିଥିଲା ।
ସୂର୍ଯ୍ୟପରାଗ ପାଇଁ ବିଭିନ୍ନ ଦେବାଳୟରେ ସ୍ୱତନ୍ତ୍ର ନୀତି କରାଯାଇଛି । ଶ୍ରୀମନ୍ଦିରରେ ଅପରାହ୍ଣରେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ସେପଟେ କେଦାରନାଥ ଓ ବଦ୍ରିନାଥ ସମେତ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ସ୍ୱତନ୍ତ୍ର ନୀତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ମଧ୍ୟ ସମସ୍ତ ଦେବ ନୀତି ବନ୍ଦ ରହିଥିଲା ବୁଧବାର ସକାଳ ୬ ଟା ପରେ ମନ୍ଦିର ଶୋଧନ କରାଯାଇ ପୁଣି ପୂଜାର୍ଚ୍ଚନା ହେବ । ସୂର୍ଯ୍ୟପରାଗ ଅବସରରେ ହରିୟାଣାର କୁରୁକ୍ଷେତ୍ର ସ୍ଥିତ ବ୍ରହ୍ମ ସରୋବରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ସେହିପରି ହରିଦ୍ୱାର ଓ ବାରଣାସୀର ପବିତ୍ର ଗଙ୍ଗା ନଦୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରି ପୂଜାର୍ଚ୍ଚନା କରିଛନ୍ତି । ଆସନ୍ତା ନଭେମ୍ବର ୮ ତାରିଖରେ ପୁଣି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । କାର୍ତିକ ପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ ।
