ଆଜି ସଂସଦ ଟିଭିର ଉଦଘାଟନ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତି ଏମ୍. ଭୈଙ୍କିୟା ନାଇଡୁ ବୁଧବାର ଦିନ ସଂସଦ ଟିଭିର ଉଦ୍ଘାଟନ କରିବେ । ସଂସଦ ଭବନସ୍ଥିତ ଏନେକ୍ସିରେ ସନ୍ଧ୍ୟା ୬ଘଂଟା ସମୟରେ ଉଦ୍ଘାଟନ ସମାରୋହର ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ସମେତ ଅନ୍ୟ ଗଣମାନ୍ୟ ଲୋକ ଉପସ୍ଥିତ ରହିବେ । ତେବେ ଗତ ମାର୍ଚ୍ଚ ମାସରେ ରାଜ୍ୟସଭା ଏବଂ ଲୋକସଭା ଟିଭିର ବିଲୟ କରାଯାଇଥିଲା । ରାଜ୍ୟସଭାର ସଭାପତି ଏବଂ ଲୋକସଭା ଅଧ୍ୟକ୍ଷଙ୍କ ସହମତି ପରେ ଏହା ଫଇସଲା କରାଯାଇଥିଲା । ସଂସଦ ଟିଭିର ଉଦ୍ଘାଟନ ପରେ ସଂସଦର ଦୁଇ ସଦନର କାର୍ଯ୍ୟକ୍ରମ ଗୋଟିଏ ଚ୍ୟାନେଲ୍ରେ ଦେଖାଯାଇପାରିବ ।ଏହି ନୂତନ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦବରୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଓକିଲ ହେମନ୍ତ ବାତ୍ରା ଭିନ୍ନ ଭିନ୍ନ ଶୋର ଉପସ୍ଥାପନା କରିବେ । ଯେତେବେଳେ ସଂସଦ ଅଧିବେଶନ ଆରମ୍ଭ ହେବ ସେହି ସମୟରେ ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟର ପ୍ରସାରଣ କରାଯିବ।
ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ। କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ ଧର୍ମ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ବିବେକ ଦେବରୟ ଇତିହାସ ଏବଂ ଅମିତାଭ କାନ୍ତ ଭାରତର ପରିବର୍ତ୍ତନ ବିଷୟରେ କାର୍ଯ୍ୟକ୍ରମ ସଂଚାଳିତ କରିବେ। ହେମନ୍ତ ବାତ୍ରା ଆଇନ ସଂପର୍କିତ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ। ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ଅର୍ଥନୀତି ଏବଂ ଏଣ୍ଡୋକ୍ରାଇନୋଲୋଜିର ଜଣାଶୁଣା ଚିକିତ୍ସକ ଅମ୍ବିରଶ ନିଥାୟୀ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ବୟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି । ଅନ୍ୟପଟେ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ମନୋଜ ଆରୋରା ଏହାର ବିଶେଷ କାର୍ଯ୍ୟ ଅଧିକାରୀ(ଓଏସଡି) ରହିଛନ୍ତି।
