ପରୀ ଅପହରଣ ଓ ହତ୍ୟା ମାମଲା : ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ନୟାଗଡ ପରୀ ଅପହରଣ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକେ । କୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଆବେଦନ କରିବାକୁ ପରୀର ବାପା, ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ମାମଲାର ସମସ୍ତ ଦିଗକୁ ପରଖି ଶୁଣାଣି କରିବାକୁ ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ।
ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ବାପା, ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଥମେ ରିଟ୍ ପିଟିସନ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଆବେଦନ କରାଯାଇଥିଲା । ପୂର୍ବ ଶୁଣାଣି ସମୟରେ ଖଣ୍ଡପୀଠ ପରୀ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ତଳକୋର୍ଟ ଅର୍ଥାତ ଓଡ଼ିଶା ହାଇକୋର୍ଟ ଦେଇଥିବା ଅର୍ଡର କପି କୋର୍ଟଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ । ସେହିପରି ଗତ ଡିସେମ୍ବର ୧୭ତାରିଖରେ ହାଇକୋର୍ଟ ପରୀ ମୃତ୍ୟୁର ଶୁଣାଣି କରିଥିଲେ । ଏହି ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଅଭିଯୁକ୍ତକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି । ପରୀ ହତ୍ୟା ମାମଲାରେ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ଏଭଳି କହିଥିଲେ ହାଇକୋର୍ଟ । ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ଏସଆଇଟି ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯେ, ଗତ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରୀ । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ । ପେଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ୨୩ ତାରିଖ ଅପରାହ୍ନରେ ବାଡି ପଟ ଗଡିଆ କୂଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା ।
