ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ : ମନ୍ତ୍ରୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ରାଜ୍ୟରେ ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ହେବ । ଖୁବ ଶୀଘ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ସଂପର୍କରେ ମଧ୍ୟ ଜଣାଇ ଦିଆଯିବ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେହିପରି ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛୁ ବୋଲି ମନ୍ତ୍ରୀ କହିଛନ୍ତି ।
ଆସନ୍ତା ୨୦୨୨ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ହେବା ପ୍ରାୟତଃ ନିଶ୍ଚିତ । ଇତିମଧ୍ୟରେ ପଞ୍ଚାୟତ ସୀମା ପୁନଃ ନିର୍ଦ୍ଧାରଣ କାମ ଶେଷ ହୋଇଛି। ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପୂର୍ବରୁ ସରକାର ଚିଠି ଲେଖିଥିଲେ। ଏବେ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପୁନର୍ବାର ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ଆୟୋଗଙ୍କ ପକ୍ଷରୁ ଯେବେ ଦିନ ଧାର୍ଯ୍ୟ ହେବ ସେହି ଅନୁସାରେ ନିର୍ବାଚନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଜୁନ୍ କିମ୍ବା ଜୁଲାଇରେ ପୌର ନିର୍ବାଚନ ହୋଇପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି। କେବଳ ନିର୍ବାଚନ ଆୟୋଗ ତାଙ୍କର ଦିନ ଧାର୍ଯ୍ୟ କଲେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ନିୟମ ଅନୁଯାୟୀ ନିର୍ବାଚନର ୪୫ଦିନ ପୂର୍ବରୁ ଆଚରଣ ବିଧି ଲାଗୁ ହେବ। ପଞ୍ଚାୟତ ନିର୍ବାଚନ ଯଦି ମାର୍ଚ୍ଚ ସୁଦ୍ଧା ହୁଏ, ତେବେ ୨୦୨୨ ଜାନୁଆରୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ବୋଲି ମନ୍ତ୍ରୀଙ୍କ ତଥ୍ୟରୁ ଜଣାଯାଇଛି।
