ପଞ୍ଚାୟତ ନିର୍ବାଚନ : ଆଜି ୪୫ଟି ବୁଥରେ ସାନି ମତଦାନ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ୪୫ଟି ବୁଥରେ ସାନି ମତଦାନ ହେଉଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ସାନି ମତଦାନ ହେଉଛି। ଆଜି ମୋଟ ୧୦ଟି ଜିଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ଭଦ୍ରକରେ ୩ଟି ବ୍ଲକ ଭଦ୍ରକ, ବନ୍ତ ଓ ଚାନ୍ଦବାଲିରେ ସାନି ମତଦାନ ହେଉଛି । ସେହିପରି ଯାଜପୁର ଜିଲାର ୪ଟି ବ୍ଲକ ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣାରେ ସାନି ମତଦାନ ହେଉଛି । ପୁରୀ ଜିଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ମଧ୍ୟ ସାନି ମତଦାନ ଚାଲିଛି । ବାଲେଶ୍ବର ଜିଲାର ବସ୍ତା, ଢେଙ୍କାନାଳର ଗନ୍ଦିଆ, ବୌଦ୍ଧର ରୋକ୍ସାରେ ମଧ୍ୟ ସାନି ମତଦାନ ଚାଲିଛି । ସେହିପରି ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି ।
ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ବାଲଟ ପେପରରେ ତ୍ରୁଟି ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।
