ପଞ୍ଚାୟତ ନିର୍ବାଚନ : ଆଜି ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮,୫୮୮ ପ୍ରାର୍ଥୀ
ଭୁବେନଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଜି ଚତୁର୍ଥ ଦିନର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ଦିନରେ ୱାର୍ଡ ମେମ୍ଵର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଆସନ ପାଇଁ ୫୮ ହଜାର ୫୮୮ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ନିର୍ବାଚନ ଆୟୋଗଙ୍କ ସଚିବଙ୍କ ମୁତାବକ ୪୦ ହଜାର ୭୩୨ ୱାର୍ଡ ମେମ୍ଵର, ୮୮୪୨ ସରପଞ୍ଚ ପ୍ରାର୍ଥୀ ଚତୁର୍ଥ ଦିନରେ ନାମାଙ୍କନ ଭରିଛନ୍ତି । ସେହିପରି ୭୮୩୨ ସମିତି ସଭ୍ୟ ଓ ୧୧୮୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପ୍ରକ୍ରିୟା ଆସନ୍ତାକାଲି ବା ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଦାଖଲ କରୁଛନ୍ତି । ସୂଚନା ଯେ, ପ୍ରଥମ ଦିନରେ ୮୭୭୨ ପ୍ରାର୍ଥୀ ନାମାଙ୍କନ ଭରି ଥିଲେ । ସେହିପରି ଦ୍ଵିତୀୟ ଓ ତୃତୀୟ ଦିନରେ ଯଥାକ୍ରମେ ୧୩ ହଜାର ୩୫୬ ଓ ୫୨ ହଜାର ୮୬୮ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ତୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜନିଜ ପ୍ରାର୍ଥୀ ଚୟନ କରି ସାରିଛନ୍ତି । ଏହାସହ ପ୍ରାର୍ଥୀମାନେ ଲଗାତାର ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ।
