ପଞ୍ଚାୟତ ନିର୍ବାଚନ : ଦ୍ବିତୀୟ ପର୍ଯ୍ୟାୟରେ କମିଲା ଭୋଟ ପ୍ରତିଶତ
ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ୩୦ ଜିଲାର ୬୮ଟି ବ୍ଲକରେ ୧୮୬ ଜିଲ୍ଲାପରିଷଦ, ୧୫୧୪ ସରପଞ୍ଚଙ୍କ ଭାଗ୍ୟ ବାଲାଟ ବକ୍ସରେ ସିଲ୍ ହୋଇଛି। ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲାର ୬୮ ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ କରାଯାଇଛି। ୬୨ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥାନ୍ତେ। କିନ୍ତୁ ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନ କହିଛନ୍ତି। ୧୫୧୪ ପଂଚାୟତରେ ୨୦ ହଜାର ୪୩୫ ବୁଥ ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। କଡା ସୁରକ୍ଷା ମଧ୍ୟରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ ମତଦାନ ହୋଇଛନ୍ତି। ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟିଆରେ ୪୦ ପ୍ରତିଶତ ଲୋକେ ଭୋଟ ଦେଇଥିଲେ। ସୂଚନା ଯେ, ଗତ ବୁଧବାର ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ପରିମାଣ କମିଛି। କୋଭିଡ୍ ଗାଇଡ୍ଲାଇନ୍ ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେଉଛି।
