ପଞ୍ଚାୟତ ନିର୍ବାଚନ : ୨୬ରୁ ଭୋଟ୍ ଗଣତି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଆସନ୍ତାକାଲି ୫ମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତି ନିଆଯାଇଛି ।
ପ୍ରତି ଜୋନରେ ଯେତିକି ଗ୍ରାମ ପଂଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଂଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲରେ ଜଣେ କାଉଂଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଂଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ । କେଉଁ ଟିମ୍ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳା ପଡିବ । ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଂଟ ରହିବେ । ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ । ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଂଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ । ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ରବୀନ୍ଦ୍ର ନାଥ ସାହୁ । ଗୁରୁବାର ହେବ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
