ପାନାମା ପେପର ଲିକ ମାମଲା : ଐଶ୍ବର୍ଯ୍ୟାଙ୍କୁ ଇଡ଼ିର ସମନ
ମୁମ୍ବାଇ : ପାନାମା ପେପର୍ସ ଲିକ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ି ଚାଲିଛି। ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ସମନ ଜାରି କରିଛି । ଏହି ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥାନ୍ତେ। ଦିଲ୍ଲୀର ଲୋକନାୟକ ଭବନରେ ସେ ହାଜର ହୋଇଥାନ୍ତେ। କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛନ୍ତି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି। ତେବେ ଖୁବ୍ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି କହିଛି।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଚଳିତ ବର୍ଷ ନଭେମ୍ବର ୯ରେ ଧାରା ୩୭ ଫେମା ଜରିଆରେ ସମନ କରିଥିଲା। ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଘର `ପ୍ରତୀକ୍ଷା’କୁ ପଠାଇଥିଲା ଇଡି। ୧୫ ଦିନ ଭିତରେ ଏହି ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏହି ସମନର ଉତ୍ତର ଦେଇଥିବା ସୂଚନା ମିଳିଛି।
ସୂଚନା ଯେ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା। ଏହି ଲିକ୍ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା। ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (ଏମ୍ଏଜି) ଗଠନ କରିଥିଲେ। ଏଥିମଧ୍ୟରେ ସିବିଡିଟି, ଆର୍ବିଆଇ, ଇଡ଼ି ଏବଂ ଏଫ୍ଆଇୟୁ ସାମିଲ କରାଯାଇଥିଲା। ଏମ୍ଏଜି ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ ଏସ୍ଆଇଟି ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା।
