ପୁଞ୍ଜି ବିନିଯୋଗ ବଦଳରେ ବିଦେଶୀଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ପାକିସ୍ତାନର ଅନୁମୋଦନ
ଇସଲାମବାଦ : ନାଗରିକତ୍ୱକୁ ନେଇ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଏକ ନୂତନ ନୀତି ଘୋଷଣା କରିଛନ୍ତି । ପୁଞ୍ଜି ବିନିଯୋଗ ବଦଳରେ ବିଦେଶୀଙ୍କୁ ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଦେଶର ପ୍ରଥମ ଜାତୀୟ ସୁରକ୍ଷା ନୀତି ଅନୁଯାୟୀ ଏହି ପ୍ରସ୍ତାବ ଦିଆଯାଇଛି ।
ତୁର୍କୀରେ ଏପରି ନିୟମ ଅଛି । ତୁର୍କୀର ଏହି ନିୟମ ବା ନକ୍ସା ଅନୁସରଣ କରି ପାକିସ୍ତାନ ସ୍ଥାୟୀ ଆବାସ ଯୋଜନା ସୁବିଧା ଆରମ୍ଭ କରିବାକୁ ନିଷ୍ପତି ନେଇଛି ।ଏହି ଯୋଜନା ଅନୁସାରେ, ଆବେଦନକାରୀଙ୍କୁ ୧,୦୦,୦୦୦ ଡଲାର ଅର୍ଥାତ୍ ପାଖାପାଖି ୭୪ ଲକ୍ଷରୁ ନେଇ ୩୦୦, ୦୦୦ ଡଲାରର ନିବେଶ ରିଅଲ ଇଷ୍ଟେଟରେ କରିବାକୁ ପଡ଼ିବ । ପାକିସ୍ତାନ ସରକାରଙ୍କ କହିବା କଥା, ରିଅଲ ଇଷ୍ଟେଟ ରେ ନିବେଶ କରିବା ଦିଗରେ ଏହା ଏକ କ୍ରାନ୍ତିକାରୀ ଦିଗ ଅଟେ । ଆଫଗାନିସ୍ତାନକୁ ଆକର୍ଷିତ କରିବା ପାଇଁ ଏହି ଯୋଜନା ହେଉଛି ବୋଲି ପାକିସ୍ତାନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଆସିବା ପରଠାରୁ ବହୁ ସଂଖ୍ୟକ ଲୋକ ମାଲେସିଆ, ତୁର୍କୀ ଭଳି ଦେଶରେ ଆଶ୍ରୟ ନେଇଛନ୍ତି । ଏହା ବ୍ୟତୀତ ଆମେରିକା ଏବଂ କାନାଡା ଭଳି ଦେଶରେ ବାସ କରୁଥିବା ଧନୀ ଶିଖମାନଙ୍କୁ ଆକର୍ଷିତ କରିବାର ଯୋଜନା ଅଛି । ବିଶେଷକରି କରତାରପୁର କରିଡର ଏବଂ ଧାର୍ମିକ ସ୍ଥାନରେ ବିନିଯୋଗ କରିବାକୁ ଧନୀ ଶିଖମାନଙ୍କୁ ଉତ୍ସାହିତ କରାଯିବା ଉଚିତ୍ ବୋଲ ସେ କହିଛନ୍ତି ।
ସୂଚନା ଯେ, ପାକିସ୍ତାନର ଗରିବୀ ଅବସ୍ଥା ପୁରା ବିଶ୍ୱକୁ ଜଣା । କାରଣ ବିଗତ କିଛିଦିନର ତଥ୍ୟ ଯଦି ଖେଳାଇବା ତାହେଲେ କଦଳୀ ଦାମ ଠାରୁ ଆରମ୍ଭ କରି ରୋଷେଇରେ ବ୍ୟବହୃତ ଟମାଟୋ ଦର ପାକିସ୍ତାନରେ ଆକାଶ ଛୁଆଁରେ ପହଂଚିଛି । କେବଳ ଏତିକି ନୁହେଁ କିଛିଦିନ ତଳେ ପାକିସ୍ତାନର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ପାକିସ୍ତାନର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା କାରଣରୁ ସଂସଦ ଛାତରୁ ପାଣି ଗଳୁଥିଲା ଯାହାକୁ ନେଇ ସରକାରଙ୍କ ନିଜ ମନ୍ତ୍ରୀ ଏହା ଉପରେ କ୍ରୋଧ ପ୍ରକାଶ କରିଥିଲେ ।
