ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କଲା ପାକିସ୍ତାନ
ଇସଲାମବାଦ : ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ୧୫ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ୧୫ ଜଣିଆ ସ୍କ୍ୱାଡ୍ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ମଧ୍ୟ ଖେଳିବ। ଟିମକୁ ଆସିଫ୍ ଅଲୀ ଓ ଖୁଶଦିଲ୍ ଶାହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଭିଜ୍ଞ ଖେଳାଳି ଶୋଏବ ମଲିକ୍ ଓ ସର୍ଫରାଜ ଅହମ୍ମଦଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ। ବାବର ଆଜର ଟିମର ନେତୃତ୍ୱ ନେବେ। ତାଙ୍କ ଡେପୁଟୀ ଭାବେ ଶଦାବ ଖାନ୍ ରହିଛନ୍ତି। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ଟିମ୍ ଦୁବାଇରେ ଭାରତକୁ ଭେଟିବ। ଏଥିପାଇଁ ପାକିସ୍ତାନ ଏକ ମଜଭୁତ୍ ଟିମ୍ର ଘୋଷଣା କରିଛି। ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୪ ଯାଏ ଲାହୋର ଓ ରାୱଲପିଣ୍ଡିରେ ୭ ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ ଜରିଆରେ ପାକିସ୍ତାନ ବିଶ୍ୱକପ୍ ପ୍ରସ୍ତୁତିକୁ ଆହୁରି ମଜଭୁତ୍ କରିବାକୁ ଲକ୍ଷ୍ୟ ରଖିଛି।
?? Pakistan have named their squad for the ICC Men's @T20WorldCup 2021.
— ICC (@ICC) September 6, 2021
Details ? https://t.co/s3VPjFKbUc pic.twitter.com/hTCtmNaJ0F
ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆସିଫ୍ ଅଲୀ ଓ ଖୁଶଦିଲ୍ ଶାହଙ୍କୁ ସୁଯୋଗ ଦିଆଯାଇଛି। ଦୁହିଁଙ୍କୁ ମିଡଲ ଅର୍ଡରରେ ଖେଳିବା ପାଇଁ ସୁଯୋଗ ମିଳିପାରେ। ଆସିଫ୍ ନିଜର ଶେଷ ଟି-୨୦ ମ୍ୟାଚ୍ ଗତ ଏପ୍ରିଲରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ସେ ପାକିସ୍ତାନ ପକ୍ଷରୁ ୨୯ ଟି-୨୦ ମ୍ୟାଚ୍ ଖେଳି ୧୪୭ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି। ସେହିପରି ଶାହ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଲାହୋରରେ ଖେଳିଥିଲେ। ସେ ପାକିସ୍ତାନ ପକ୍ଷରୁ ୯ ଟି-୨୦ ମ୍ୟାଚ୍ ଖେଳି ୧୩୪ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି। ତେବେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ ହୋଇଥିବା ୧୯ ଖେଳାଳିଙ୍କ ମଧ୍ୟରୁ ଅର୍ଶଦ ଇକବାଲ, ଫହୀମ ଅସରଫ, ଫକର ଜମାନ, ସର୍ଫରାଜ ଅହମ୍ମଦ, ଶର୍ଜୀଲ ଖାନ୍ ଓ ଉସମାନ୍ କାଦିରଙ୍କୁ ବାଦ୍ ଦିଆଯାଇଛି।
ପାକିସ୍ତାନ ସ୍କ୍ୱାଡ୍: ବାବର ଆଜମ୍ (କ୍ୟାପଟେନ୍), ଶଦାବ ଖାନ୍ (ଭାଇସ୍ କ୍ୟାପଟେନ୍), ଆସିଫ୍ ଅଲୀ, ଆଜମ ଖାନ୍ (ୱିକେଟ୍ କିପର), ହାରିସ୍ ରୌଫ୍, ହସନ୍ ଅଲୀ, ଇମାଦ ୱାସିମ୍, ଖୁଶଦିଲ୍ ଶାହ, ମହମ୍ମଦ ହଫିଜ୍, ମହମ୍ମଦ ହସନେନ୍, ମହମ୍ମନ ନୱାଜ, ମହମ୍ମଦ ରିଜୱାନ୍ (ୱିକେଟକିପର), ମହମ୍ମଦ ୱାସିମ୍ ଜୁନିୟର, ଶାହୀନ ଆଫ୍ରିଦି, ସୋହେବ ମକସୁଦ୍।
