ଡିସେମ୍ବର ୭ରୁ କେନ୍ଦୁଝରରେ ଧାନ ସଂଗ୍ରହ
କେନ୍ଦୁଝର : କେନ୍ଦୁଝର ଜିଲାରେ ୨୦୨୨-୨୩ ଖରିଫ୍ ବର୍ଷର ଏଫ୍.ଏ.କ୍ୟୁ. ମାନର ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଚଳିତ ନଭେମ୍ବର ୧୬ ତାରିଖ ବୁଧବାର ପୂର୍ବାହ୍ନ୍ନରେ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଅତିରିକ୍ତ ଜିଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ, ବେସାମରିକ ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସମେତ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ, ଏଫ୍ସିଆଇ କର୍ମକର୍ତା, ମିଲର ଏବଂ ଚାଷୀ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲାପାଳ ଶ୍ରୀ ଠାକରେ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ସଂପର୍କରେ ଆଲୋକପାତ କରି ଶୃଙ୍ଖଳିତ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ପରିଚାଳନା ନିମନ୍ତେ ଯୋଗାଣ, ସମବାୟ ଓ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଉତମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । କୌଣସି ଚାଷୀ ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ କିମ୍ବା ପ୍ରାପ୍ୟ ପାଇବାରେ ହଇରାଣ ହରକତ କିମ୍ବା ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ବହୁ ସଂଖ୍ୟାରେ ଚାଷୀ କିପରି ପଞ୍ଜିକୃତ କରିଅଛନ୍ତି ଓ ସସ୍ପେକ୍ଟ୍ ପ୍ଲଟ୍ଗୁଡିକର ଭେରିଫିକେସନ୍ ଅଦ୍ୟାବଧି ଚାଲୁରହିଛି । ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କର ପ୍ରାପ୍ୟ ସମବାୟ ବ୍ୟାଙ୍କ୍ ତଥା ଅନ୍ୟାନ୍ୟ ବ୍ୟାଙ୍କ୍ ତରଫରୁ ଅନ୍ଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ବ୍ୟାଙ୍କ୍ ଆକାଉଂଟକୁ ସିଧାସଳଖ ପଠାଯିବ । ଚାଷୀମାନେ ଯେପରି ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ପାଇପାରିବେ ସେଥିପ୍ରତି ଯୋଗାଣ ଓ ସମବାୟ ବିଭାଗର ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ବୈଠକରେ ଧାନ ସଂଗ୍ରହର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
ବୈଠକରେ ନିଷ୍ପତି ଅନୁଯାୟୀ ଆଗାମୀ ଡିସେମ୍ବର ୭ ତାରିଖରୁ କେନ୍ଦୁଝର ଓ ଚମ୍ପୁଆ ସବ୍ଡିଭିଜନ୍, ଡିସେମ୍ବର ୧୫ ତାରିଖରୁ ଘଷିପୁରା ଏବଂ ଡିସେମ୍ବର ୨୦ ତାରିଖରୁ ହାଟଡିହି ଓ ଆନନ୍ଦପୁର ବ୍ଲକ୍ରେ ଧାନ ସଂଗ୍ରହ କେନ୍ଦ୍ରମାନଙ୍କରେ ଧାନ ସଂଗ୍ରହ ଆରମ୍ଭ ହେବ ଏବଂ ଧାନ ସଂଗ୍ରହ ଆଗାମୀ ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଅଧିକ ସଂଖ୍ୟା ଚାଷୀ ପଞ୍ଜିକୃତ କରିଥିବାରୁ ସପ୍ତାହରେ ୩ ରୁ ୪ ଦିନ ଧାନକ୍ରୟ କରାଯିବା ପାଇଁ ସ୍ଥିରିକୃତ କରାଯାଇଛି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୪୫୬୦୨୯ କ୍ୟୁଂଟାଲ୍ ଧାନ କିଣିିବା ପାଇଁ ଜିଲ୍ଲା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ପାକସ୍ (ସମବାୟ ସମିତି) ଜରିଆରେ ୮୯ଟି ଏବଂ ଲ୍ୟାମ୍ପସ୍ ଜରିଆରେ ୪୫ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସମସ୍ତ ଧାନ ସଂଗ୍ରହ କେନ୍ଦ୍ରମାନଙ୍କୁ ଆବଶ୍ୟକୀୟ ଧାନ ଓଜନ ଯନ୍ତ୍ର ସହ ଅନ୍ୟାନ୍ୟ ଯନ୍ତ୍ରପାତି ଯୋଗାଇ ଦେବାକୁ ନିୟନ୍ତ୍ରିତ ବଜାର କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନେ ଲିଫ୍ଲେଟ୍ ପୋଷ୍ଟର ଜରିଆରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଉପଜିଲ୍ଲାପାଳମାନେ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଧାନ ସଂଗ୍ରହ କେନ୍ଦ୍ରମାନଙ୍କରେ ଉପଦେଷ୍ଟା କମିଟି ଗଠନ ଓ ଧାନ ସଂଗ୍ରହ ପ୍ରକ୍ରିୟାକୁ କ୍ର୍ରିୟାଶୀଳ କରାଯିବାକୁ ନିଷ୍ପତି ନିଆଯାଇଛି । ପ୍ରତିଦିନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କରେ ଧାନ ସଂଗ୍ରହର ତଥ୍ୟ ଅପ୍ଡେସନ୍ କରିବାକୁ ଏବଂ ସେହି ଦିନ ମିଲରମାନେ ସଂଗୃହିତ ଧାନକୁ ମିଲ୍କୁ ଆଣିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତବର୍ଷ ସାଧାରଣ ଏଫ୍ଏକ୍ୟୁ ମାନ ଧାନର ମୂଲ୍ୟ କ୍ୱିଟାଂଲ ପ୍ରତି ଟ.୨୦୪୦/- ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରେଡ୍ ଏ ଧାନର ମୂଲ୍ୟ କ୍ୱିଟାଂଲ ପ୍ରତି ଟ.୨୦୬୦/- ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ବେସାମରିକ ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ସୂଚନା ଦେଇଥିଲେ ।
