ଓୟୁଟିଆରର ହେବ ନବକଳେବର; ମାଷ୍ଟର ପ୍ଲାନ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା
୫ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁଯୋଗ ପାଇବେ
ଭୁବନେଶ୍ୱର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା । ଭିତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । ଆଇଆଇଏମ୍, ଆଇଆଇଟି ଓ ଏନଆଇଟି ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି ଓୟୁଟିଆର ର ବିକାଶ ସଂପର୍କିତ ମାଷ୍ଟରପ୍ଲାନ୍ କୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ବର୍ତମାନ ଓୟୁଟିଆର ରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଂଚାରେ ବିକାଶ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓୟୁଟିଆରର ଭିତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ୱବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ୱ ସହ ନ୍ୟୁ ଏଜ୍ ଟେକ୍ନୋଲୋଜି ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ ସେଂଟର ଅଫ୍ ଏକ୍ସିଲେନ୍ସ ମଧ୍ୟ ପ୍ରତିଷ୍ଠା କରାଯିବ । ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ୱବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଷ୍ଟାଟ୍ ଅପ୍ କଲଚରକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ ଇନକ୍ୟୁବେସନ୍ ସେଂଟରର ମଧ୍ୟ ବିକାଶ କରାଯିବ । ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ ପାଟେଂଟ ଓ ବୌଦ୍ଧିକ ସମ୍ପତି ଅଧିକାର ହାସଲ କରାଯାଇପାରିବ ହୋଇପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଓୟୁଟିଆର (ସିଇଟି) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।
ଏହି ବିଶ୍ୱବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟି ନାମରେ ପ୍ରତିଷ୍ଠିତ ହୋଇଥିଲା । ୨୦୦୧ ମସିହାରେ ଏହା ଭୁବନେଶ୍ୱରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ୱ କ୍ୟମ୍ପସ୍ କୁ ସ୍ଥାନାନ୍ତରିତ ହୋଇଥିଲା । ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି ନାକ୍ ଏ ଗ୍ରେଡ୍ ମାନ୍ୟତା ହାସଲ କରିପାରିଛି । ୨୦୨୧ରେ ଏହା ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ୱବିଦ୍ୟାଳୟ ଭାବରେ ନାମିତ ହୋଇଥିଲା । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓୟୁଟିଆରର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ । ବୈଠକରେ ଓୟୁଟିଆର ଓଏସଡି ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
