ଔପଦା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍ଯାପିତ
ଔପଦା : ଔପଦା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଔପଦା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବ୍ୟବସ୍ଥାରେ ଉଦ୍ଯାପିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବ ସୁରଭିକୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି ପିଲାମାନଙ୍କର ପ୍ରତିଭା ଏହି ସୁରଭି କାର୍ଯ୍ୟକ୍ରମ ଦ୍ୱାରା ପରିପ୍ରକାଶ ହୋଇଥାଏ ବୋଲି କହି ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନକୁ ଭୁଲି ନଯିବା ପାଇଁ ପରାମର୍ଶ ଦେଇଥିଲେ ।
ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାସଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ଉପାଧ୍ୟକ୍ଷ ପ୍ରଭାକର ସାହୁ, ୧ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ମୁନି ସିଂ, ତଳକିଆ ସରପଞ୍ଚ ଦିପ୍ତୀରାଣୀ ନାୟକ, ଏବିଓ ରତ୍ନାକର ଦାସ, ସୀତା ହାଁସଦା, ଔପଦା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ସାହୁ ଔପଦା ଉଚ୍ଚ ବିଦ୍ୟାଳୟ ୫ଟିରେ ସାମିଲ ହୋଇଥିଲେ ମଧ୍ୟ ଏଠାରେ ଏକ ବଗିଚା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ଲକସ୍ତରୀୟ ଥିବା ୧୧ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ମାନେ ଆସିଥିବା ବେଳେ କାର୍ଯ୍ୟକ୍ରମରେ ବସିବା ପାଇଁ ସ୍ଥାନ ପାଇନଥିଲେ । ଏପରିକି ସ୍ଥାନୀୟ ଖବରଦାତା ମାନେ ସେଥିରୁ ବାଦ ପଡ଼ିନଥିଲେ । ବିଭିନ୍ନ ସାଧନ କେନ୍ଦ୍ରରୁ ମନୋନୀତ ହୋଇଆସିଥିବା ୨୭୧ ଜଣ ଛାତ୍ରଛାତ୍ରୀ ବୁଦ୍ଧି ପରୀକ୍ଷା, ଗଳ୍ପ ଲିଖନ, ଓଡ଼ିଆ ହସ୍ତ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, ଗଳ୍ପ ଲିଖନ, ବକ୍ତୃତା, ତର୍କ, ସୁଜନଶୀଳ ଇତ୍ୟାଦିରେ ଭାଗ ନେଇଥିଲେ । ଶେଷରେ କୃତି ଛାତ୍ରୀଛାତ୍ର ପୁରସ୍କୃତ କରାଯାଇଥିବା ବେଳେ ଜିଲାସ୍ତରୀୟ ହେଇଥିବା ଫୁଟବଲ ପ୍ରତିଯୋଗିତାରେ ଔପଦା ବ୍ଲକ ରନର୍ସ ଅପରେ ସଫଳତା ପାଇଥିବାରୁ ଏହି ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁରଭି କାର୍ଯ୍ୟକ୍ରମରେ ଓଷ୍ଟା ଶିକ୍ଷକ ସଂଘର ଔପଦା ବ୍ଲକ ଶାଖା ସଭାପତି ପୂର୍ଣଚନ୍ଦ୍ର ସାହୁଙ୍କ ସମେତ ଶିକ୍ଷକ ନେତା ସୁରେନ୍ଦ୍ର ପ୍ରସାଦ ବେହେରା, ଉମାଶଙ୍କର ନାୟକ ଓ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରର ସିଆର୍ସିସି ଓ ଶିକ୍ଷୟିତ୍ରୀଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
