ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସାଧାରଣ ଭକ୍ତ
ପୁରୀ : ଦୀର୍ଘ ୪ ମାସ ପରେ ସାଧାରଣ ଭକ୍ତଙ୍କ ପାଇଁ କାଳିଆର ଡ଼ୋରି ଲାଗିଛି । ଆଜି ସକାଳୁ ଭକ୍ତମାନେ କୋଭିଡ଼ ଦୁଇଟି ଟିକାର ପ୍ରମାଣ ପତ୍ର, ବାସସ୍ଥାନର ପରିଚୟ, ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶନ କରୁଛନ୍ତି । ରତ୍ନସିଂହାସନ ଉପରେ ବହୁ ଦିନ ପରେ ଭକ୍ତ ତାର ପ୍ରିୟ ଭଗବାନଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିିବାକୁ ମିଳିଛି । ଅନେକ ସମୟ ଧରି ଭକ୍ତ ଚକାଆଖିକୁ ଆଖି ମିଳାଇ ଅଟକୁଥିବା ବେଳେ ସୁରକ୍ଷାକର୍ମୀ ଶୀଘ୍ର ଦର୍ଶନ କରି ଚାଲିଯିବା ପାଇଁ ଦାଗଦ୍ କରୁଥିଲେ । ଶ୍ରୀନଅର ଠାରୁ ବ୍ୟାରିକେଡ଼ କରାଯାଇ ଭକ୍ତମାନଙ୍କୁ ଛଡ଼ାଯାଉଛି । ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ଼ରେ ଚପଲ ଷ୍ଟାଣ୍ଡକୁ ଯାଇ ସେଠାରେ ଚପଲ, ବେଲଟ, ମୋବାଇଲ, ଛତା ଏକ ସ୍ୱତନ୍ତ୍ର ବ୍ୟାଗରେ ରଖି ଟୋକନ ପାଉଛନ୍ତି । ପରେ କିଓସ୍କୋରେ ଆଧାରକାର୍ଡ଼ ଦେଖାଇବା ପରେ ହାତକୁ ବିଶୋଧନ କରୁଛନ୍ତି । ସେଠାରୁ ଭକ୍ତସେଡ଼ ମଧ୍ୟରେ ପ୍ରବେଶ କରି ଯିବା ସମୟରେ ସ୍ୱତନ୍ତ୍ର ମେସିନ ଦ୍ୱାର ଯାଂଚ୍ କରାଯାଉଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବସିବା ପାଇଁ ସୁବିଧା କରାଯାଇଛି । ଅରୁଣସ୍ତମ୍ଭ ପାଖକୁ ଯିବା ପରେ ଛାଉଣିମଠ କୂଅ ନିକଟରେ ଥିବା ପଦ ପ୍ରକ୍ଷାଳନରେ ଗୋଡ଼ହାତ ଧୋଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ପତତପାବନଙ୍କୁ ଦର୍ଶନ କରି ବାଇଶିପାହାଚ ଦେଇ ଚନ୍ଦନ ଚକଡ଼ାରେ ପହଂଚିବା ପରେ ସାତ ପାହାଚ ଦେଇ ଗରୁଡ଼ ସ୍ତମ୍ଭ ନିକଟକୁ ପ୍ରବେଶ କରୁଛନ୍ତି । ସେଠାରୁ ବାହାରକାଠ ନାଟମଣ୍ଡପ ଦେଇ ଘଂଟିଦ୍ୱାର ଦେଇ ଫେରୁଛନ୍ତି । ପରେ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ମନ୍ଦିର ଭିତରେ କୌଣସି ମୂର୍ତି କିମ୍ବା ପଥରକୁ ସ୍ପର୍ଶ ନକରିବା ପାଇଁ ସୁରକ୍ଷା କର୍ମୀ ବାରଣ କରୁଛନ୍ତି । ଆନନ୍ଦବଜାରରୁ ମହାପ୍ରସାଦ ବ୍ୟାଗରେ କିଣି ଆଣୁଥିବା ବେଳେ ସେଠାରେ ମହାପ୍ରସାଦ ସେବନ ବାରଣ କରାଯାଇଛି ।
ଏ ସମ୍ପର୍କରେ କାଳିଆଙ୍କର ପରମ ଭକ୍ତ ବୀଣାପାଣି କର କୁହନ୍ତି, ବହୁଦିନ ଧରି କାଳିଆର ଦର୍ଶନ ପାଇପାରିନଥିଲି । କାଳିଆକୁ ଦର୍ଶନ କରିବା ପରେ ମନରେ ଅନେକ କୋହ ଉଠିଥିଲା । ଭାବ ବିହ୍ୱଳ ହୋଇ ଆଖିରୁ ଭକ୍ତିର ଲୁହ ଝରି ଯାଇଥିଲା । କାଳିଆକୁ ନଦେଖି ମନ ଡ଼ହଳବିକଳ ହେଉଥିଲା । ଭକ୍ତମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଯାଉଥିବା ଦେଖିବାକୁ ମିଳୁଥିଲା । ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ର୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ପୋଲିସ ଜଗି ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଭକ୍ତଙ୍କ ଉପରେ ନଜର ରଖିଛି । ମୋବାଇଲ ଓ ପଲିଥିନ ଶ୍ରୀମନ୍ଦିର ଭିତରକୁ ନେବାକୁ ବାରଣ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।
