ଫେଲ୍ ମାରିଲା ବିରୋଧୀଙ୍କ ଚାଲ୍ ! ଅନାସ୍ଥା ପ୍ରସ୍ତାବ ଖାରଜ, ପ୍ରଧାନମନ୍ତ୍ରୀ ରହିବେ ଇମ୍ରାନ ଖାନ୍
ଇସ୍ଲମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ପାକ୍ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିରୋଧୀଙ୍କ ସବୁ ଚାଲ୍ ଫେଲ୍ ମାରିଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ଫଳରେ ଇମ୍ରାନ ଖାନ୍ ପୂର୍ବପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିବେ। ବିଦେଶୀ ଷଡ଼ଯନ୍ତ୍ର କାରଣ ଦର୍ଶାଇ ପ୍ରସ୍ତାବ ଖାରଜ କରାଯାଇଛି।
ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ୟନ୍ତ୍ର କହି ଗୃହ ନିଲମ୍ବିତ କରିଛନ୍ତି। ଗୃହରେ ଭୋଟ୍ କରାଇବାକୁ ଅନୁମତି ନଦେଇ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ବାଚସ୍ପତିଙ୍କର ଏହି ରାୟରେ ସଂସଦରେ ପ୍ରବଳ ହଟ୍ଟୋଗଳ ହୋଇଥିଲା। ବାଚସ୍ପତିଙ୍କ ରାୟକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ଗୃହରେ ହଙ୍ଗାମା କରିଥିଲେ। ସଂସଦର ନିମ୍ନ ସଦନର ୩୪୨ ଭୋଟ୍ ମଧ୍ୟରୁ ଇମ୍ରାନଙ୍କୁ ଆସ୍ଥା ଭୋଟ୍ ଜିତିବାକୁ ହେଲେ ୧୭୨ ଭୋଟର ଆବଶ୍ୟକ ଥିଲା। ହେଲେ ସହଯୋଗୀ ଦଳ ସମର୍ଥନ କାଢ଼ି ନେବା ପରେ ଇମ୍ରାନଙ୍କୁ ଗୃହରେ ଏତେ ଭୋଟ୍ ପାଇବା ଅସମ୍ଭବ ଥିଲା। ଆଉ ଏବେ ବାଚସ୍ପତି ପ୍ରସ୍ତାବକୁ ବିଦେଶୀ ଚାଲ୍ କହି ଖାରଜ କରିଦେବା ପରେ ଇମ୍ରାନ୍ଙ୍କୁ ଆଶ୍ୱସ୍ତି ମିଳିଛି। ଏଥିସହିତ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ସଂସଦକୁ ମୁଲତବୀ କରାଯାଇଛି। ଗୃହମୁଲତବୀ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ମୁଁ ରାଷ୍ଟ୍ରପତିଙ୍କୁ ଗୃହ ମୁଲତବୀ କରିବାକୁ କହିଥିଲି ବୋଲି ଇମ୍ରାନ ଖାନ୍ କହିଛନ୍ତି।
