ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ : ବିରୋଧୀଙ୍କ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନ
ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିଜେପି ଓ କଂଗ୍ରେସର ବିରୋଧ । ବିଭିନ୍ନ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ କାରକେଡ ଓ କାରକୁ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନ କରିଛନ୍ତି । ମମିତା ମେହେର ହତ୍ୟା, ରତ୍ନଭଣ୍ଡାର ସୁରକ୍ଷା, ରେଳଓଭର ବ୍ରିଜ ଆଦି ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବଡ଼ ଦାଣ୍ଡର ବଳଗଣ୍ଡି ଛକ ଠାରେ କଳାପତାକା ପ୍ରଦର୍ଶନ କରାଯାଇଛି।
ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ବରାଳ, ସୁଜିତ ମହାପାତ୍ର, ରଜତ ସାହୁ, ଚେତନ ମିଶ୍ର, ଚନ୍ଦ୍ର ଶେଖର କର, ଗୋପାଳ ମହାପାତ୍ରଙ୍କ ସହ ଶତାଧିକ ଯୁବ ଛାତ୍ରଙ୍କୁ ତାଳବଣିଆ ଥାନାରେ ଅଟକ ରଖିଛି ପୋଲିସ । ଅନ୍ୟପଟେ ଦୋଳ ମଣ୍ଡପ ସାହିରେ ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ଯୁବନେତା ଆଲୋକ କୁମାର ଦାଶଙ୍କ ସହ କର୍ମୀମାନେ ମୁଖ୍ୟମନ୍ତ୍ରୀ ବିରୋଧୀ ନାରବାଜି କରିଥିଲେ । ବିଶେଷ କରି ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ କଟକଣା, ମାଟିଆପଡା ରେଳ ଓଭର ବ୍ରିଜ ନିର୍ମାଣ ବିଳମ୍ବ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନରେ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ଓ ନାରବାଜି କରିଛନ୍ତି ବିରୋଧୀ । ସେପଟେ ବିଜେପି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରାଯାଇଛି ।
