ଆୟବର୍ହିଭୂତ ସମ୍ପତି ଠୁଳ ମାମଲା : ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ
ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି) ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଭିଜିଲାନ୍ସ ବିଭାଗ ପ୍ରତାପଙ୍କ ସମେତ ତାଙ୍କର ସ୍ତ୍ରୀ ସସ୍ମିତା ସାମଲଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ । କିନ୍ତୁ ସ୍ୱାମୀ-ସ୍ତ୍ରୀ ସନ୍ତୁଷ୍ଟମୂଳକ ଉତର ଦେଇପାରି ନଥିଲେ । ଭିଜିଲାନ୍ସ ବିଭାଗ ଗତକାଲି ପ୍ରତାପଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା । ପ୍ରତାପ ଓ ତାଙ୍କ ସ୍ତ୍ରୀ ନାଁରେ ଥିବା ସମ୍ପତିର ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା ଠାବ ହୋଇଛି । ଭିଜିଲାନ୍ସ ବିଭାଗ କହିଛି ପ୍ରତାପଙ୍କ ସମ୍ପତି ଆୟଠାରୁ ୧୦୨୧ ଗୁଣା ଅଧିକ । ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଘରୁ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରତାପ ପଡ଼ୋଶୀ ଘର ଛାତକୁ ଫୋପାଡ଼ି ଦେଉଥିବା ୨୦ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟର ଏକ ପେଟି ଜବତ ହୋଇଛି । ସେହିଭଳି ପ୍ରତାପଙ୍କ ଘରୁ ଏଯାବତ ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାଛଡ଼ା ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଗୋଠପାଟଣାରେ ଏକ ପାଂଚ ମହଲା କୋଠା ରହିଛି , ଯାହାର ମୂଲ୍ୟ ୩.୮୯ କୋଟି ଟଙ୍କା ।
ଉଲ୍ଲେଖଯୋଗ୍ୟ, ପ୍ରତାପ ସାମଲଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୁଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଂଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଥିଲା । ପ୍ରତାପ ସାମଲ ଜଣେ ଡିପ୍ଲୋମା ସିଭିଲ ଇଜିନିୟର ।ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଂଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ । ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ । କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ ।
