ଅପରେସନ୍ ‘ଅଜୟ’ : ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ, ୭ ଓଡ଼ିଆ ସାମିଲ
ନୂଆଦିଲ୍ଲୀ : ଇସ୍ରାଏଲ୍ ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି। ଯେଉଁମାନେ ଏବେକାର ଇସ୍ରାଏଲ ସ୍ଥିତିକୁ ଦେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଏହି ମିଶନର ଲକ୍ଷ୍ୟ ରହିଛି। ଏହିକ୍ରମରେ ଗତକାଲି ରାତିରେ ପ୍ରଥମ ବିମାନ ଇସ୍ରାଏଲ୍ରୁ ଭାରତ ଅଭିମୁଖେ ଆସିଛି। ଏହି ସ୍ୱତନ୍ତ୍ର ବିମାନରେ ୨୧୨ ଜଣ ଭାରତୀୟ ସୁରକ୍ଷିତ ନିଜ ମାତୃଭୂମି ସ୍ପର୍ଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ଅରିନ୍ଦମ ବାଗ୍ଚି ଏ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରକୁ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଲୋକଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ହାଲଚାଲ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଭାରତୀୟଙ୍କ ମଧ୍ୟରେ ଫସି ରହିଥିବା ୭ ଜଣ ଓଡ଼ିଆ ସୁରକ୍ଷିତ ଭାବରେ କିପରି ନିଜ ପରିବାର ପାଖରେ ପହଞ୍ଚି ପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବା ଆମର ପ୍ରାଥମିକତା। ଯେଉଁମାନେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଭାରତୀୟଙ୍କ ଫେରିବା ପାଇଁ ଅନୁରୋଧ ଗ୍ରହଣ କରାଯାଉଥିବାରୁ ସେହି ଅନୁଯାୟୀ ବିମାନ ଉଡ଼ାଣ ସେଡ୍ୟୁଲ କରାଯିବ । ମନ୍ତ୍ରଣାଳୟ କହିଛି ଯେ ଘରକୁ ଫେରିବାକୁ ଚାହୁଁଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ କରାଯାଇଛି। ଏହା ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନ ୨୧୨ ଜଣ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ଦିଲ୍ଲୀରେ ପହଞ୍ଚିଛି। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ‘ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୧୮,୦୦୦ ଭାରତୀୟ ଇସ୍ରାଏଲରେ ରହୁଥିବାବେଳେ ପଶ୍ଚିମବଙ୍ଗରେ ପ୍ରାୟ ୧୨ ଜଣ ଏବଂ ଗାଜାରେ ତିନି-ଚାରି ଜଣ ଲୋକ ଅଛନ୍ତି। ତେଣୁ ସେମାନଙ୍କୁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନା ଯେ, ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ। ଯେମିତି ୟୁକ୍ରେନ-ଋଷ ଯୁଦ୍ଧ ଆରମ୍ଭ ସମୟରେ ୟୁକ୍ରେନ୍ରେ ଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ଠିକ୍ ସେହି ବ୍ୟବସ୍ଥା ଆପଣାଯାଇଥିବା ସେ କହିଥିଲେ।
