୧୧କେଭି ଲାଇନରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣା! ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୩ ଆହତ
- ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ
ବାଲେଶ୍ୱର : ବାଲେଶ୍ୱର ଜିଲା ସିଂଲା ବିଦ୍ୟୁତ୍ ବିଭାଗ ଅଧିନ ଗିଲାଜୁଡ଼ି ଗ୍ରାମରେ ଅଘଟଣ । ବିଦ୍ୟୁତ୍ ଖୁଣ୍ଟରେ କାମ କରୁଥିବା ବେଳେ ହଠାତ୍ କୌଣସି କାରଣ ଯୋଗୁଁ ଲାଇନ୍ ଆସିଯିବା ଫଳରେ ଜଣଙ୍କର ମୁତ୍ୟୁ ଏବଂ ଅନ୍ୟ ୩ ଜଣ ଆହତ ହୋଇଥିଲେ । ସେଥିରୁ ୨ଜଣ ଗୁରୁତର ଥିବା ଜଣାପଡ଼ିଛି । କ୍ଷତିପୂରଣ ଦାବିରେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଆଗରେ ମୃତଦେହ ରଖି ସମ୍ପର୍କୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ଯେ, ଗିଲାଜୁଡି ଗ୍ରାମରେ ଖୁଣ୍ଟ ଉପରେ ଚଢ଼ି ୪ ଜଣ ୧୧ କେଭି ବିଦ୍ୟୁତ୍ ମରାମତି କାର୍ଯ୍ୟ କରୁଥିଲେ । ନାବରା ସ୍ଥିତ ସୀତାଡ଼ିହା ଗ୍ରୀଡ଼ରୁ ସଟଡାଉନ ନିଆଯାଇଥିଲା । କୌଣସି କାରଣରୁ ହଠାତ ବିଦ୍ୟୁତ ସରବରାହ ସଂଯୋଗ ହୋଇଥିଲା । ଫଳରେ କାମ କରୁଥିବା ଚାରିଜଣ କର୍ମଚାରୀ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଖୁଣ୍ଟରୁ ତଳକୁ ପଡ଼ିଯାଇଥିଲେ । ଏଥିରେ ସମସ୍ତଙ୍କ ଦେହର ଅଧିକାଂଶ ଅଂଶ ପୋଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣ ମଧ୍ୟ ସୁନ୍ଦରହୋତା ଗ୍ରାମର ଜ୍ଞାନ ରଞ୍ଜନ ସାହୁ (୨୭) ବୋଲି ଜଣାପଡ଼ିଛି । ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ମାନଙ୍କ ମଧ୍ୟରେ ସୁନ୍ଦର ହୋତା ଗ୍ରାମର ପଂକ୍ତି ଜେନା, ଆମ୍ବକୁଡୁଚି ଗ୍ରାମର ଅଭିଜିତ ସେନାପତି ଏବଂ ବାଇତପଡ଼ା ଗ୍ରାମର କେଶବ ବାରିକ ବୋଲି ଜଣାଯାଇଛି । ଅପରପକ୍ଷରେ କ୍ଷତିପୂରଣ ଦାବିରେ ବସ୍ତା ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁର୍ଘଟଣାପରେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରି ଫେରାର ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ପୋଲିସ ପହଞ୍ôଚ ବିକ୍ଷୋଭକାରୀଙ୍କ ସହ ବୁଝାସୁଝା କରୁଛି ।
