ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଏକାଧିକ ଆହତ
ବାଲେଶ୍ୱର : ସାମାନ୍ୟ କଥାରୁ ବଚସା । ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ ବାଲେଶ୍ୱର ସଦର ଥାନା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ୪ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସମେତ ଉପଖଣ୍ଡ ପୁଲିସ ଅଧିକାରୀ, ୪ ଥାନାର ଆଇଆଇସି ଓ ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।
ସୂଚନା ଯେ, ବୈଶିଙ୍ଗା ଥାନା ପଣସିଆ ଛକରେ ଏକ ୱେଲ୍ଡିଂ ଦୋକାନ କରିଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର ଗ୍ରାମର ସେକ୍ ରେଫାକତ୍ ଖାଁ ଆଜି ସନ୍ଧ୍ୟାରେ ନିଜ ବନ୍ଧୁ ସେକ୍ ୱାସିମ୍ଙ୍କ ସହ ବୁଲେଟ୍ ମଟର ସାଇକେଲରେ ଦୋକାନକୁ ଆସୁଥିଲେ। ପଛରେ ଏକ ଅଟୋରେ ତାଙ୍କ ଓଲ୍ଡିଂ ସାମଗ୍ରୀ ଲୋଡ୍ କରି ଏକ ଅଟୋ ଆସୁଥିଲା। କଳମା ପଶ୍ଚିମା ଠାକୁରାଣୀଙ୍କ ପାଖ ରାସ୍ତା ଉପରେ ଏକ ବଡ଼ ହମ୍ପ୍ସ ଥିବାରୁ ସେଠାରେ ଅଟୋ ପାର୍ ହେବାରେ ସମସ୍ୟା ହୋଇଥିଲା। ଏହାକୁ ନେଇ ସେକ୍ ରେଫାକତ୍ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେବେ ସେହି ସ୍ଥାନରେ ଠିଆ ହୋଇଥିବା କଳମା ଗ୍ରାମର ମନୋରଞ୍ଜନ ଜେନାଙ୍କ ପୁଅ ସରୋଜ ଓ ତାଙ୍କର ୭/୮ ଜଣ ବନ୍ଧୁ ଏହାକୁ ବିରୋଧ କରିଥିଲେ। ପୂର୍ବରୁ ଏହି ଦୁଇ ଜଣଙ୍କ ଭିତରେ ଶତ୍ରୁତା ଥିବାରୁ ସାମାନ୍ୟ ବଚସା ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷରେ ସେକ୍ ରେଫାକତ୍ ଓ ତାଙ୍କ ବନ୍ଧୁ ୱାସିମ୍ ଆହତ ହୋଇଥିଲେ। ରେଫାକତ୍ଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇ ପାଖ ଛକରେ ଟେଲର୍ ଦୋକାନ କରିଥିବା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି (୪୩) ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ସେ ବି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ।
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେକ୍ ଜିଲାନିଙ୍କୁ ଏକ ନାଳ ଭିତରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଜିଲାନିଙ୍କ ସମେତ ସଂଘର୍ଷରେ ଆହତ ହୋଇଥିବା ରେଫାକତ୍ ଓ ୱାସିମ୍ଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଜିଲାନିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା। ଜିଲାନିଙ୍କ ମୃତ୍ୟୁ ଖବର ପାଇ ଗୋବିନ୍ଦରାୟପୁର, ଜଙ୍ଖରାଇ ଓ ଆଖପାଖ ଗ୍ରାମରୁ ସଂଖ୍ୟାଲଘୁ ସଂପ୍ରଦାୟର ଶତାଧିକ ଯୁବକ ମାରଣାସ୍ତ୍ର ଧରି କଳମା ଛକରେ ପହଞ୍ଚିଥିଲେ। ସେପଟେ କଳମା ଓ ଆଖପାଖ ଗ୍ରାମରୁ ୩ ଶହରୁ ଅଧିକ ଯୁବକ ମଧ୍ୟ ସେଠାରେ ଠୁଳ ହୋଇଥିଲେ। ଉଭୟ ପକ୍ଷଙ୍କ ସଂଘର୍ଷ ଭିତରେ ସରୋଜ ଗୁରୁତର ଆହତ ହୋଇଥିବାବେଳେ ଭଙ୍ଗାରୁଜାରେ କଳମା ଛକରେ ଥିବା ଦୁଇଟି ଦୋକାନ ଘର ମାଟିରେ ମିଶିଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ଦେଖି ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ବେତନଟୀ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାସ, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ବଡ଼ସାହି ଥାନା ଓଆଇସି, ବାଲେଶ୍ବର ସଦର ଥାନା ଆଇଆଇସି ଅଶୋକ ନାୟକ, ସଦର ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ଦେଢ଼ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ବର ଏସ୍ପି ସୁଧାଂଶୁ ଖେଖର ମିଶ୍ର, ଅତିରିକ୍ତ ଏସ୍ପି ଗୋବିନ୍ଦ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ଘଟଣାସ୍ଥଳଠାରୁ ୫ କିମି ପରିଧି ଭିତରେ ବିଭିନ୍ନ ସମ୍ପ୍ରଦାୟର ଗାଁ ଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ ପୁଲିସ ଫୋର୍ସ ଡକାଯାଇଛି। ନିଜେ ଆଇଜି ଘଟଣାର ତଦନ୍ତ କରୁଛନ୍ତି।
