ସୋପିଆନରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ମୃତ
ଜମ୍ମୁ କାଶ୍ମୀର : ଦକ୍ଷିଣ କାଶ୍ମୀରର ସୋପିଆନରେ ସେନା ଗୁଳିରେ ଟଳିଲା ଆତଙ୍କବାଦୀ । ସୋପିଆନର ତୁର୍କୁବାଗମ୍ ଗ୍ରାମରେ ଏହି ଏନକାଉଣ୍ଟର ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୋଲିସର ସୂଚନାନୁସାରେ, ସେନାକୁ ତୁର୍କୁବାଗମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସେନା, ସିଆରପିଏଫ ଓ ପୋଲିସ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ସନ୍ଦିଗ୍ଧ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ କିଛି ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଜଣେ ଆତଙ୍କାବୀଦୀ ନିପାତ ହୋଇଥିବା ଜଣାପଡିଛି । ସେହିପରି ମଙ୍ଗଳବାର ବିଳମ୍ବିତ ରାତ୍ରରେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସେନା ଲଶ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲା । ନିହତ ଆତଙ୍କବାଦୀଙ୍କଠାରୁ ପୋଲିସ ବନ୍ଧୁକ, ଗୁଳି ଓ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା ।
