ମର୍ମନ୍ତୁଦ କାର ଦୁର୍ଘଟଣାରେ ଜଣେ ମୃତ, ଦୁଇ ଛାତ୍ରୀ ଗୁରୁତର
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା-ଟାଟା ରାସ୍ତାର ବହଳଦା ଧିରୋଜଲାଲ କଲେଜ ନିକଟରେ ଆଜି ଏକ ହୁଣ୍ଡାଇ କାର ନଂ ଜେ.ଏଚ. ୦୫ ବି.ଏଲ. ୪୭୮୪ ସାଇକେଲରେ ଟିଉସନ ଯାଉଥିବା ଦୁଇଜଣ ବହଳଦା କଲେଜର ଛାତ୍ରୀଙ୍କୁ ଧକ୍କା ଦେବା ପରେ ଏକ ବାଇକକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଂଟି ସହ ଧକ୍କା ହୋଇ ରାସ୍ତା ତଳକୁ ଖସି ପଡିଥିଲା । ଦୂର୍ଘଟଣା ଘଟାଇ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ବହଳଦା ଧୀରଜ ଲାଲ କଲେଜର ଯୁକ୍ତ୨ର ପ୍ରଥମ ବର୍ଷ ଛାତ୍ରୀ ନାକୀ ହେମ୍ବ୍ରମ ଏବଂ ଫୁଲ ସୋରେନ ଏବଂ ବାଇକ ଆରୋହୀ ବହଳଦା ଥାନା ଅନ୍ତର୍ଗତ ଝାଡଗାଁର ତାପସ ମିଶ୍ର(୫୦) ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ବହଳଦା ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଲେଜ ଛାତ୍ରୀ ଦୁଇ ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ, ଫୁଲ ସୋରେନଙ୍କର ଅବସ୍ଥା ଗୁରୁତର ହେତୁ ବାରିପଦା ପି.ଆର.ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅଣ୍ଟା ଗୋଡ଼ ଭାଙ୍ଗି ଯାଇଛି । ପୋଲିସ ମୃତ ତାପସଙ୍କ ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । କିଛି ସମୟ ଧରି ଘଟଣାସ୍ଥଳରେ ଉତେଜନା ଲାଗି ରହିଥିଲା । ସ୍ଥାନୀୟ ଲୋକେ ଏବଂ କଲେଜର ଛାତ୍ରଛାତ୍ରୀ ମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ତେବେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବହଳଦା ପୋଲିସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କଲାପରେ ଲୋକେ ଧାରଣାରୁ ଓହରିଛନ୍ତି ।
