ବାଲେଶ୍ୱର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଦୁଇ ଗୁରୁତର
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଚରବସ୍ତକାଳରୁଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘର ଝରକାରେ ଗ୍ରୀଲ ବସାଉଥିବା ବେଳେ ଉକ୍ତ ଝରକା ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣକ ହେଲେ ଦୀପକ କୁମାର ବେହେରା (୨୩) । ଏନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାରୁ ଯେ, ଚରବସ୍ତକାଳରୁଇ ଗ୍ରାମର ରାଜେନ୍ଦ୍ର ବେହେରାଙ୍କ ଘରର ଝରକାରେ ସୋମବାର ପୂର୍ବାହ୍ନ ସମୟରେ ଲୁହା ଗ୍ରୀଲ ବସାଯାଉଥିଲା । ଏଥିରେ ତାଙ୍କର ଦୁଇ ପୁଅ ଦୀପକ, ରବୀନ୍ଦ୍ର ଏବଂ ଗ୍ରାମର ରାଜମିସ୍ତ୍ରୀ ଅଦୈତ୍ୟ ସାହୁ କାର୍ଯ୍ୟ କରୁଥିଲେ । ଗ୍ରୀଲ ବସାଇବା ସମୟରେ ଝରକା ଦେଇ ଘର ଭିତରକୁ ଯାଇଥିବା ଇଲେକ୍ଟ୍ରି ତାର ଚାପି ହୋଇ ତାର ଉପରେ ଥିବା କଭର ଛିଣ୍ଡିବା ଫଳରେ ଫଳରେ ଗ୍ରୀଲଟି ଚାର୍ଜ ହୋଇଯାଇଥିଲା । ଏଥିରେ ୩ଜଣ ଯାକ ଗ୍ରୀଲ ଧରିଥିବା ଅବସ୍ଥାରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହାଦେଖି ରାଜେନ୍ଦ୍ର କୌଣସି ପାୟ ନପାଇ ନିଜ ଗାମୁଛା ପକାଇ ରବୀନ୍ଦ୍ର ଓ ଅଦୈତ୍ୟଙ୍କୁ ଘୋଷାରି ଆଣିଥିଲେ । ମାତ୍ର ଦୀପକ ବହୁ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଓ ଏକ ଘରୋଇ ଗାଡ଼ିରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୀପକକୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଦୁଇଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ସୂଚନା ମିଳିଛି ।
