ପରିବା ହାଟରୁ କୋଟିଏ : ୧କେଜି ୫୨ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ୨ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବ୍ରାଉନ୍ସୁଗାର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏସ୍ଟିଏଫ୍, ଅବକାରୀ ବିଭାଗ ତଥା ସ୍ଥାନୀୟ ଥାନା ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବ୍ରାଉନ୍ସୁଗାର ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିଲେ ହେଁ ଏହି ବେପାର କମିବାର ନାଁ ନେଉଛି । ଦୈନିକ କେଉଁଠୁ ନା କେଉଁଠୁ ଏହି ନିଶା ଦ୍ରବ୍ୟ ଜବତ ସହ ଅଭିଯୁକ୍ତ ଗିରଫ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରସ୍ଥ ଅରଡ଼ବଜାର ପରିବା ମାର୍କେଟ୍ରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି ।
ବ୍ରାଉନ୍ସୁଗାର ଡିଲ୍ ହେଉଥିବା ନେଇ ଏସ୍ଟିଏଫ୍କୁ ଗୁପ୍ତ ସୂଚନା ମିଳିଥିଲା । ଏନେଇ ଗତ ୭ ତାରିଖ ପୂର୍ବାହ୍ନରେ ଏସ୍ଟିଏଫ୍ ପକ୍ଷରୁ ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନସ୍ତ ଅରଡ଼ବଜାରରେ ଥିବା ପରିବା ମାର୍କେଟ୍ରେ ଚଢ଼ାଉ କରାଯାଇଥିଲା । ସେଠାରେ ଅଶୋକ ଯାଦବ ଓ ସୁରେଶ ଯାଦବ ନାମକ ଦୁଇ ଯୁବକଙ୍କ ନିକଟରୁ ୧କେଜି ୫୨ ଗ୍ରାମ୍ ବ୍ରାଉନ୍ସୁଗାର ସହ ସେମାନଙ୍କ ନିକଟରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିଲା । ଏନେଇ ଏସ୍ଟିଏଫ୍ ଥାନା ମାମଲା (ନଂ. ୩୬ ।୨୧) ରୁଜୁ କରାଯାଇ ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଯେ, ଉଭୟ ଅଶୋକ ଓ ସୁରେଶ ଅନ୍ୟ ରାଜ୍ୟରୁ ଟ୍ରକ୍ ଯୋଗେ ପନିପରିବା ଆଣି ବାଲେଶ୍ୱରରେ ପହଞ୍ଚାଇଥାନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ପନିପରିବା ସହ ବ୍ରାଉନ୍ସୁଗାର କାରବାର ମଧ୍ୟ ଚଳାଇଥିଲେ । ବାଲେଶ୍ୱରକୁ ବ୍ରାଉନ୍ସୁଗାର ଆଣି ଏଠାରୁ ବିଭିନ୍ନ ଜିଲାକୁ ଚାଲାଣ କରୁଥିବାର ଜଣାପଡ଼ିଛି ।
