ପୁଣି ଥରେ ଗୋଲ୍ଡେନ ଡକର ଶିକାର ହେଲେ ବିରାଟ
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ରେ ଦୟନୀୟ ସ୍ଥିତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ପରିପ୍ରେକ୍ଷୀରେ ରବିବାର ସେ ପୁଣି ଥରେ ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବିରାଟ କୋହଲି ପ୍ରଥମ ବଲରେ ହିଁ ଆଉଟ୍ ହୋଇଥିଲେ । ଫଳରେ ଚଳିତ ସିଜିନରେ ଏହା କୋହଲିଙ୍କ ତୃତୀୟ ଗୋଲଡେନ ଡକ୍ ଅର୍ଥାତ ପ୍ରଥମ ବଲରେ ସେ ଆଉଟ୍ ହୋଇଛନ୍ତି ।
ରବିବାର ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା ପ୍ରଥମ ବଲ୍ ବିରାଟ କୋହଲି ସମ୍ମୁଖୀନ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ବୋଲିଂ କରୁଥିବା ଜଗଦୀଶ ସୂଚୀ ପ୍ରଥମ ବଲରେ କୋହଲିଙ୍କୁ ଆଉଟ୍ କରିଛନ୍ତି। ଲେଗ୍ ସାଇଡକୁ ଖେଳିବା ଚକ୍କରରେ ବିରାଟ କୋହଲି ହାଇଦ୍ରାବାଦ ଅଧିନାୟକ କେନ ଓ୍ଵିଲିୟମନଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନ ଫେରିବା ସମୟରେ ସଂପୂର୍ଣ୍ଣ ନିରାଶ ଥିଲେ। ସେ ମୁଣ୍ଡ ନୁଆଁଇ ଚାଲିଥିଲେ ଏବଂ ତାଙ୍କ ଚେହେରାରେ ହାଲକା ସ୍ମିତ ହାସ୍ୟ ରହିଥିଲା। ସେ ବୁଝି ପାରୁ ନାହାନ୍ତି ଯେ, ତାଙ୍କ ବ୍ୟାଟିଂ ଫର୍ମ ସହିତ କଣ ହୋଇଛି। ବିରାଟ କୋହଲି ଏହି ପରି ଆଉଟ୍ ହେବା ସଭିଙ୍କୁ ଚକିତ କରିଛି। ପ୍ରଥମ ଥର ବିରାଟ କୋହଲି ଗୋଟିଏ ସିଜିନରେ ତିନି ତିନି ଥର ଗୋଲଡେନ ଡକର ଶିକାର ହୋଇଛନ୍ତି ।
ସୂଚନା ଯେ, ଆଇପିଏଲରେ ମୋଟ ୬ ଥର ପାଇଁ ଗୋଲଡେନ ଡ଼କରେ ଆଉଟ ହୋଇଛନ୍ତି କୋହଲି। ପ୍ରଥମେ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଶିଷ ନେହେରାଙ୍କ ଦ୍ୱାରା ଆଉଟ ହୋଇଥିଲେ । ଏହା ପରେ ୨୦୧୪ ପଞ୍ଜାବ କିଙ୍ଗ୍ସର ବୋଲର ସନ୍ଦୀପ ଶର୍ମା,୨୦୧୭ରେ କୋଲକାତା ନାଇଟ୍ ରାଇଡର୍ସର ବୋଲର ନାଥାନ୍ କୁଲଟର-ନାଇଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ସେହିପରି ୨୦୨୨ରେ ଲକ୍ଷ୍ନୌ ସୁପରଜାଏଣ୍ଟସ,ସନରାଇଜର୍ସ ହାଇଦ୍ରାବାଦର ବୋଲରଙ୍କଠାରୁ ଦୁଇଥର ସେ ଗୋଲଡେନ ଡ଼କରେ ଆଉଟ ହୋଇଛନ୍ତି ।
