ଶନିବାରରେ ଶ୍ରୀମନ୍ଦିରରେ ପଇତାଲାଗି ନୀତି ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ଆସନ୍ତାକାଲି ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଦଇତାପତିମାନେ ଗର୍ଭ ଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତି ସମାପନ କରିବେ । ପ୍ରତିଦିନ ମହାପ୍ରଭୁଙ୍କୁ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମେନ୍ତ ଏହି ପଇତା ଲାଗି କରାଯାଇଥାଏ । ତିନୋଟି ରଙ୍ଗର ବାସୁଙ୍ଗା ପାଟରେ ଏହି ପଇତା ଲାଗି ହୋଇଥାଏ । ପାଟରା ସେବକମାନେ ବାସୁଙ୍ଗା ପାଟନେଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳି ସେବକଙ୍କୁ ଯୋଗାଇଥାନ୍ତି । ଆସନ୍ତାକାଲି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପଇତାଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ବର୍ଷକୁ ଦୁଇଥର ଏହି ପଇତାଲାଗି ନୀତି ଅନୁଷ୍ଠିତ ହୁଏ ।
