ଓମିକ୍ରନରୁ ସୁରକ୍ଷା ଦେବ ଟୀକା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ସମ୍ପ୍ରତ୍ତି ଦେଶରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବଢ଼ିବାରେ ଲାଗିଛି । ଚାରିଆଡେ ଆତଙ୍କ ଖେଳାଉଛି କୋରୋନାର ଏହି ନୂଆ ରୂପ । ଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନାହାନ୍ତି। ଏହି ପରିପ୍ରେକ୍ଷୀରେ ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଟୀକା ଦେବ ଓମିକ୍ରନରୁ ସୁରକ୍ଷା । ୧୦୦ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ । ତେଣୁ ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍ ରହିଛି । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ଏନେଇ ସମସ୍ତ ଜିଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି ।
ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇନାହାନ୍ତି ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ । ତେଣୁ ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଜନପ୍ରତିନିଧି ଓ ଗାଁରେ ଥିବା ସାମାଜିକ କର୍ମୀ ଅନୁରୋଧ କରୁଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଏବେ ଯାଏଁ ୪ କୋଟି ୬୨ ଲକ୍ଷ ଭ୍ୟାକ୍ସିନ୍ ଡୋଜ୍ ଦିଆସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡୋଜ୍ ସରିଛି । ଆଉ ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି । ଖୁବଶୀଘ୍ର ସେମାନଙ୍କୁ ଟିକା ଦିଆଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ରଖିଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
