ଡେଲଟାଠୁ ଅଧିକ ମାରାତ୍ମକ ଓମିକ୍ରନ : ସତର୍କତା ହିଁ ବଞ୍ଚାଇବ ଜୀବନ
ଭୁବନେଶ୍ୱର : ଭୟ ବଢାଉଛି ନୂଆ କୋରୋନା ଭୂତାଣୁ ଓମିକ୍ରନ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇ ଦେଇଛି । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ପରେ ଭାରତର ପଡୋଶୀ ଦେଶ ବାଂଲାଦେଶରୁ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ସୂର୍ଯ୍ୟପ୍ରକାଶ ଚୌଧୁରୀ କହିଛନ୍ତି ଯେ, ଡେଲଟାଠୁ ଅଧିକ ମାରାତ୍ମକ ଓମିକ୍ରନ। ସତର୍କତା ହିଁ ବଞ୍ଚାଇବ ଜୀବନ । ଏଥିପାଇଁ ଆଗାମୀ ୩ ମାସ ବେଶ ଗୁରୁତ୍ବପୂର୍ଣ୍ଣ ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ୧୦ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି। ଯେଉଁ ଲୋକମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ ଓ ସେମାନେ ୧୦ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହେବ। କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଜିଲ୍ଲାପାଳ, ସିଡିଏମଓ ଓ ସମସ୍ତ ମ୍ୟୁନିସପାଲ କମିଶନରମାନଙ୍କୁ କୋଭିଡ୍ ସଂକ୍ରମଣକାରୀଙ୍କ ଚିହ୍ନଟ, ଟେଷ୍ଟିଂ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିବା ସହ ସମ୍ପୂର୍ଣ୍ଣ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି ସ୍କୁଲ ଓ କଲେଜରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସରକାର କୋଭିଡ୍ ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ସ୍କୁଲ କିମ୍ବା କଲେଜ ନଆସିବାକୁ ପରାମର୍ଶ ଦେଇଥିଲେ । କୋଭିଡ୍ ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯିବା ସହ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
