ଓମିକ୍ରନ ଅଧିକ ସଂକ୍ରମଣ ହେଲେ ବି ଘାତକ ହେଉନି
ଭୁବନେଶ୍ଵର : ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରକୋପ ଜାରି ରହିଛି। ଏହା ଅତି ଶୀଘ୍ର ମଣିଷଙ୍କୁ ସଂକ୍ରମଣ କରୁଛି। ମାତ୍ର ଏହା ସେତେଟା ଘାତକ ନୁହେଁ ଏବଂ ମଣିଷର ବିଶେଷ କ୍ଷତି କରି ପାରୁନି। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ କରୋନା ସଚେତନ ପାଇଁ ଜାରି କରାଯାଉଥିବା ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡା. କ୍ଷୀରୋଦ ରାଉତ।
ସେ କହିଛନ୍ତି, ଓମିକ୍ରନ ଅତିଶୀଘ୍ର ମଣିଷକୁ ସଂକ୍ରମଣ କରୁଛି। ତୃତୀୟ ଲହରରେ ଏହା ଡେଲ୍ଟା ସହ ଲୋକଙ୍କୁ ସଂକ୍ରମିତ କରୁଛି। ଓମିକ୍ରନର ସ୍ପାଇକ୍ ଅତିଶୀଘ୍ର ମ୍ୟୁଟେଟ୍ କରି ପାରୁଛି। ଆମ ଶରୀରର ଆଣ୍ଟିବଡି ଏହି ସ୍ପାଇକ୍ ସହ ମୁକାବିଲା କରି ପାରୁଛି। ତେଣୁ ଓମିକ୍ରନ ଅଧିକ ସଂକ୍ରମଣ ହେଲେ ବି ଘାତକ ହେଉନି। ଓମିକ୍ରନ ଶରୀରରେ ଅଧିକ ମ୍ୟୁଟେଟ୍ ହୋଇ ହାଲିଆ ହୋଇ ଯାଉଛି। ତେଣୁ ଘାତକ ନହେବାର ଏହା ମଧ୍ୟ କାରଣ ହୋଇପାରେ ବୋଲି ଡା. ରାଉତ କହିଛନ୍ତି। ସେହିପରି ଓମିକ୍ରନ ଫୁସଫୁସ୍ର ଅଧିକ ସଂକ୍ରମିତ କରି ପାରୁନି। ଲୋକଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହି ଭାରିଆଣ୍ଟର ମୁକାବିଲା କରୁ ପାରୁଛି। କିନ୍ତୁ କୌଣସି ସିଜନକୁ ଦେଖି ଭାଇରସ୍ ବଢିନଥାଏ ବୋଲି ଡାକ୍ତର କହିଛନ୍ତି।
