ବାଲେଶ୍ୱରରେ କାୟା ମେଲାଉଛି ଓମିକ୍ରନ୍! ଆଉ ୮ ଆକ୍ରାନ୍ତ ଚିହ୍ନଟ
ବାଲେଶ୍ୱର : ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆତଙ୍କ ଜାରି ରହିଛି । ଏହି ଭାରିଆଣ୍ଟ ଆସ୍ତେ ଆସ୍ତେ ସବୁ ଆଡେ ମାଡିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ମଧ୍ୟ ଓମିକ୍ରନ୍ କାୟା ମେଲାଉଛି । ଜିଲାରେ ପୂର୍ବରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏକାଥରେ ଆଉ ୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ରେମୁଣାରୁ ୫ ଜଣ, ଖଇରା, ସୋର ଓ ବାଲେଶ୍ୱର ସଦର ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଆକ୍ରାନ୍ତମାନଙ୍କର ପ୍ରଥମେ ଆଣ୍ଟିଜେନ୍ ଓ ପରେ ଆରପିଟିସିଆର୍ ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। ଓମିକ୍ରନ୍ ପରୀକ୍ଷା ପାଇଁ ସମସ୍ତଙ୍କର ନମୁନା ଭୁବନେଶ୍ବର ପଠାଯାଇଥିବାବେଳେ ରିପୋର୍ଟ ଆସିଛି। ସମସ୍ତ ଓମିକ୍ରନ୍ ଆକ୍ରାନ୍ତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍ ପରୀକ୍ଷା କରିବା ସହ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୋରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ସ୍ବିଡେନ୍ରୁ ଗତ ଡିସେମ୍ବର ମାସ ୧୭ ତାରିଖରେ ଘରକୁ ଫେରିଥିଲେ। ସେହିପରି ବାଲେଶ୍ବର ସହରର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ରହିଥିବା ମଧ୍ୟ ଜଣାପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ୍ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି।
ସୂଚନା ଯେ, ଜିଲାର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସିମୁଳିଆ ବ୍ଲକରୁ ଗତ ୨ ତାରିଖରେ ଚିହ୍ନଟ ହୋଇଥିଲେ। ଆଜି ସୁଦ୍ଧା ଜିଲାରେ ୯ ଜଣ ଓମିକ୍ରନ୍ ଚିହ୍ନଟ ହୋଇ ସାରିଥିବା ବେଳେ ଭୁବନେଶ୍ବରସ୍ଥିତ ପରୀକ୍ଷଣଗାରକୁ ଅଧିକ ନମୁନା ପଠାଯାଇଛି।
