ଓମିକ୍ରନ୍ ଭାରତରେ ଏଯାଏଁ ଚିହ୍ନଟ ହୋଇନି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଓମିକ୍ରନ୍ ଉପରେ ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । ଡ଼େଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା । ସେହିଭଳି ଏବେ ଓମିକ୍ରନ୍ ମଧ୍ୟ ନୂଆ ଭାରିଆଂଟ ହୋଇ ଆସିଛି । ହେଲେ ଏଯାଏଁ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଂଟିନ ଗାଇଡଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି । ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଂଚ କରୁଛି । ବର୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟିକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ । ଓମିକ୍ରନ ଉପରେ ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସି ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ ନିଶ୍ଚୟ କରାଯିବ । ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି । କରୋନାକୁ ପ୍ରତିହତ କରିବା ଲାଗି ଟିକାକରଣ ହିଁ ମୁଖ୍ୟ ଅସ୍ତ୍ର । ଯେଉଁମାନେ ଟିକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ । ନୀତି ଆୟୋଗଙ୍କ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି ମାସ୍କ । ଏହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା । ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ କରିବ ବୋଲି ସେ କହିଛନ୍ତି ।
