ଓମିକ୍ରନର ମୁକାବିଲା କରିପାରିବ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା : ରୁଷ
ମସ୍କୋ : କୋରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ମୁକାବିଲା କରିବାରେ ରୁଷ ନିର୍ମିତ ସ୍ପୁଟନିକ ଭି ଏବଂ ସ୍ପୁଟନିକ ଲାଇଟ ଟିକା ପ୍ରଭାବୀ ହୋଇପାରିବ ବୋଲି ଏହି ଦୁଇ ଟିକା ପ୍ରସ୍ତୁତ କରିଥିବା ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ସୋମବାର ଦିନ ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏବଂ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି ଯେ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା ଓମିକ୍ରନର ମୁକାବିଲା କରିବାକୁ ସମର୍ଥ ହୋଇପାରିବ। କାରଣ ସେଥିରେ ଅନ୍ୟାନ୍ୟ ପ୍ରକରଣର ମୁକାବିଲା କରିବାକୁ ଅଧିକ ସାମର୍ଥ୍ୟ ରହିଛି।
ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ କିରିଲ ଦିମିତ୍ରିଏଭ କହିଛନ୍ତି, ଯଦି ଏହି ଟିକାରେ ଆଉ କୌଣସି ପରିବର୍ତ୍ତନ ଆବଶ୍ୟକ ପଡିବ ନାହିଁ ତେବେ ଏହା ୨୦୨୨ ଫେବ୍ରୁଆରୀ ୨୦ ସୁଦ୍ଧା କୋଟି କୋଟି ସଂଖ୍ୟାରେ ଓମିକ୍ରନ ବୁଷ୍ଟର ଟିକା ଯୋଗାଇଦେବ। ସେ କହିଛନ୍ତି ଯେ ଟିକା କ୍ଷେତ୍ରରେ ଅସଙ୍ଗତି କାରଣରୁ ଓମିକ୍ରନ ଏବଂ ଅନ୍ୟାନ୍ୟ ପ୍ରକରଣ ଦେଖିବାକୁ ମିଳୁଛି। ସ୍ପୁଟନିକ ବିବିଧ ପ୍ରକାର ଟିକା ବର୍ଗ ସପକ୍ଷରେ ମତ ଦେଇଆସିଛି ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଏକତ୍ର କାର୍ଯ୍ୟ କରିବାକୁ ମଧ୍ୟ ଏହା କହୁଛି। ସ୍ପୁଟନିକ ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକା କୋଭିଡର ବିଭିନ୍ନ ପ୍ରକରଣର ମୁକାବିଲା କରିବାରେ ସମର୍ଥ ହୋଇପାରିବ ବୋଲି ସେ କହିଛନ୍ତି।
