ସ୍ୱାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଯୋଗୁଁ ଓମିକ୍ରନ ସଂକ୍ରମିତଙ୍କ ଚିହ୍ନଟ ହୋଇପାରିଛି
ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଯୋଗୁଁ ଓମିକ୍ରନ ସଂକ୍ରମିତଙ୍କ ଚିହ୍ନଟ ହୋଇପାରିଛି। କୌଣସି ଜଣେ ବି ଓମିକ୍ରନ ସଂକ୍ରମିତ ଗୁରୁତର ନାହାନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଯେଉଁ ବ୍ୟକ୍ତି ବିଦେଶରୁ ଆସୁଛନ୍ତି ସମସ୍ତ ପଜିଟିଭ ଲୋକଙ୍କ ଜେନମ ସିକ୍ୟୁନସିଂ କରିବାକୁ ସ୍ଥିର କରାଯାଇଛି। ନାଇଜେରିଆ ଆଟ ରିସ୍କ କଣ୍ଟ୍ରି ହୋଇ ନ ଥିବା ବେଳେ ସେଠାରୁ ଆସୁଥିବା ଲୋକଙ୍କ ମଧ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହେଉଛି। ଏଥିପାଇଁ ଏବେ ଆଟ ରିସ୍କ ହେଉବା ରିସ୍କ ନ ଥିବା ଦେଶ, ସମସ୍ତ ବିଦେଶ ଫେରନ୍ତାଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି।
ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ମୁସ୍କିଲ ହେଲେ ସର୍ଭିଲାନ୍ସ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ୧୫ରୁ ୧୮ ଯୁବକ ଯୁବତୀ ଓ ବହୁ ରୋଗରେ ପୀଡିତ ବୃଦ୍ଧବୃଦ୍ଧାଙ୍କୁ ବୁଷ୍ଟର ଡୋଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଗାଇଡଲାଇନକୁ ଅପେକ୍ଷା କରାଯାଇଛି। ଗାଇଡଲାଇନ ଅନୁଯାୟୀ ସବୁ ବ୍ଯବସ୍ଥା କରାଯିବ। ପୂର୍ବରୁ ଦିନକୁ ୪ ଲକ୍ଷ ଯାଏ ସ୍ବାସ୍ଥ୍ୟ ବିଭାଗ ଟିକାକରଣ କରିସାରିଛି। ଏଥିପାଇଁ ଆମ ପାଖରେ ଟିମ ଓ ଆନୁଷଙ୍ଗିକ ବ୍ଯବସ୍ଥା ରହିଛି। ତେଣୁ ଟିକା ଉପଲବ୍ଧ ହେଲେ ଏମାନଙ୍କୁ ଟିକା ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଳକ କହିଛନ୍ତି।
ସୂଚନା ଯେ, ରବିବାର ରାଜ୍ୟରେ ଆଉ ୪ ଜଣଙ୍କ ଠାରେ କୋରୋନାର ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ, ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଦୁବାଇ ଫେରନ୍ତା ହୋଇଥିବା ସୂଚନା ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରୋନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ ନୂଆବର୍ଷ ସୁଦ୍ଧା ଦେଶରେ ଓମିକ୍ରୋନ ମାମଲା ୫୦୦ ଟପିପାରେ ବୋଲି ଆଶଙ୍କା କରାଯାଉଛି।
