ତେନ୍ତୁଳିଆ ଦୁର୍ଗାପୂଜା ଉତ୍ସବରେ ଓଲିଉଡ ଷ୍ଟାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା
ନୀଳଗିରି : ନୀଳଗିରି ବ୍ଲକ ସୀମାନ୍ତ ଗାଁ ତେନ୍ତୁଳିଆ ଠାରେ ଦୂର୍ଗତୀନାଶିନି ଦେବୀଦୁର୍ଗାଙ୍କ ନବଦିନାତ୍ମକ ପୂଜା ମହା ଧୁମଧାମରେ ପାଳିତ ହୋଇଯାଇଛି।ଦୁର୍ଗାତ୍ସୋବ କମିଟିର ସଭାପତି ବର୍ତ୍ତମାନର ଢେ଼ଙ୍କାନାଳ ଜିଲ୍ଲାପାଳ ତଥା ଉକ୍ତ ଗାଁର ପୁଅ ସରୋଜ କୁମାର ସେଠୀଙ୍କ ମାର୍ଗଦର୍ଶନରେ କମିଟି ସଦସ୍ୟଙ୍କ ଉଦ୍ୟମରେ ଦୀର୍ଘ ୧୩ ବର୍ଷଧରି ମାଙ୍କ ପୂଜା ହୋଇଆସୁଛି। ପ୍ରତିବର୍ଷ ଓଡ଼ିଶାର ବିଭିନ୍ନପ୍ରାନ୍ତରର ସଂସ୍କୃତି ଓ ପରମ୍ପରାକୁ ପ୍ରତିନିଧିତ୍ଵ କରୁଥିବା ସଂଗଠନ ଯଥା:-ଛଉ, ଓଡ଼ିଶୀ, ମାଲଖମ୍ବ, ସମ୍ବଲପୁରୀ, ଦଣ୍ଡନାଚ ସହିତ ଓଡ଼ିଶାର ନାମକରା ମେଲୋଡି, ଅଭିନେତା/ଅଭିନେତ୍ରୀ, ହାସ୍ୟାଭିନେତା ପ୍ରଭୃତି କଳାକାର ମାନଙ୍କୁ ଆଣି ପୂଜାପେଣ୍ଡାଲ ର ଶୋଭାର ଶୋଭାବର୍ଦ୍ଧନ କରାଇବାରେ ସରୋଜଙ୍କ ଭୂମିକା ଅନବଦ୍ୟ। ଚଳିତ ବର୍ଷ ମହାମାୟାଙ୍କ ମହାନବମୀ ଅବସରରେ ତେନ୍ତୁଳିଆ ପୂଜା ପେଣ୍ଡାଲ ରେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଏବଂ ନାୟିକା ତଥା ଧର୍ମପତ୍ନୀ ଅର୍ଚ୍ଚିତାଙ୍କ ସଂଲାପ ଓ ଗୀତରେ ହଜାର ହଜାର ଦର୍ଶକ ଝୁମିଥିଲେ।

ତେବେ ତେନ୍ତୁଳିଆ ପୂଜା ମଣ୍ଡପରେ ପହଞ୍ଚିବା ପୂର୍ବରୁ ରାଜ ବରହମପୁର ସ୍ଥିତ ପୂଜା ମଣ୍ଡପରେ ସରୋଜଙ୍କ ସମେତ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଉପସ୍ଥିତ ଥିଲେ। ପରେ ସେଠାରୁ ତେନ୍ତୁଳିଆ ଠାରେ ପହଞ୍ଚି ପ୍ରାରମ୍ଭିକ ମଞ୍ଚ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ସେଠୀଙ୍କ ସହ ତାଙ୍କ ସାନଭାଇ ଡାକ୍ତର ପ୍ରଶାନ୍ତ ସେଠୀ ଏବଂ କମିଟିର ସଦସ୍ୟମାନେ ଉଭୟ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ପରେ ଆର୍ଯ୍ୟକବି ପଣ୍ଡିତ ଡଃ ପ୍ରମୋଦ କୁମାର ମିଶ୍ରଙ୍କ ଲିଖିତ “ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଇତିହାସ”ବହିକୁ ଉନ୍ମୋଚନ କରାଯାଇଥିଲା। ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଦଶମୀରେ ମା ଙ୍କ ପୂଜାବିଧି ସମ୍ପନ୍ନ ପରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସର୍ବଶେଷରେ ଏକ ବିରାଟ ରାବଣ ପୋଡିରେ ଆୟୋଜନ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଦର୍ଶକ ଆଖପାଖ ଅଞ୍ଚଳରୁ ରାବଣ ପୋଡି ଦେଖିବାକୁ ସମବେତ ହୋଇଥିଲେ।
