ଏଣିକି ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ଗାଡ଼ି
ଭୁବନେଶ୍ୱର : ଏଣିକି ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ଗାଡ଼ି । ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାରେ ପୁରୁଣା ଗାଡ଼ିର ଚିହ୍ନଟ ସରିଛି। ପରିବହନ ବିଭାଗ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛି। ରାଜ୍ୟରେ ଏବେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ଅଛି। କେନ୍ଦ୍ର ସରକାରଙ୍କ ନୂଆ ନିୟମ (ସ୍କ୍ରାପ୍ ପଲିସି) ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ସୂଚନା ଯେ, ଗତ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ ଯାନବାହନ ସ୍କ୍ରାପେଜ ନୀତିକୁ ଶୁଭାରମ୍ଭ କରିବା ସହ ପ୍ରଚଳନ କରିଥିଲେ ପ୍ରଧାନମନ୍ତ୍ରୀ। ଏହାଦ୍ୱାରା ଅଯୋଗ୍ୟ ହୋଇପଡିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ। ଭାରତର ବିକାଶ ଯାତ୍ରାରେ ଏହି ନୀତି ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଣ୍ଟ ହେବ। ଯୁବଗୋଷ୍ଠୀ ଏବଂ ଷ୍ଟାର୍ଟଅପଗୁଡିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।
